ରାଜନଗରରେ ନିର୍ବାଚନୀ ହିଂସା : ଜୀବନ ବଞ୍ଚାଇବାକୁ ବନ୍ଧୁକ ବାହାର କଲେ ପୁଲିସ ଅଧିକାରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତୃତୀୟ ପର୍ଯ୍ୟାୟ ମତଦାନ ବେଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ଘଟିଛି ରାଜନୈତିକ ହିଂସା । ଉତ୍ତ୍ୟକ୍ତ ଲୋକେ ଜଣେ ପୁଲିସ ଅଧିକାରୀଙ୍କୁ ପିଟିଛନ୍ତି । ଫଳରେ ଉତ୍ତ୍ୟକ୍ତ ଜନତାଙ୍କ ମାଡରେ ଘାଇଲା ହୋଇଥିବା ପୁଲିସ ଅଧିକାରୀ ନିଜ ଜୀବନ ବଞ୍ଚାଇବା ପାଇଁ ଅଣ୍ଟାରେ ଥିବା ବନ୍ଧୁକ ବାହାର କରି ଆକାଶକୁ ଦେଖାଇଥିଲେ । ଏହାସହ ତାଙ୍କୁ ଆକ୍ରମଣ କଲେ ସେ ବାଧ୍ୟହୋଇ ଗୁଳି ଫୁଟାଇବେ ବୋଲି କହିଥିଲେ । ଏହାଦ୍ୱାରା ଉତ୍ତ୍ୟକ୍ତ ଜନତା ଭୟଭୀତ ହୋଇ ଯାଇ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଖବର ନେବାରୁ ଜଣାପଡିଛି ୨୦ ତାରିଖରେ ରାଜନଗର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିଲା । ବିଜେପି କର୍ମୀମାନେ ଖବର ପାଇଲେ ଯେ ଏହି ବ୍ଲକର ଡେରା ପଞ୍ଚାୟତରେ ଥିବା ଗୋଖଣୀ ଗ୍ରାମର ୩ ନଂ. ଭୋଟଗ୍ରହଣ କେନ୍ଦ୍ରରେ ଅନିୟମିତତା ହେଉଛି । ଭୋଟର ତାଲିକାରେ ନାମ ନ ଥିବା ଜଣେ ବ୍ୟକ୍ତି ଭୋଟ ଗ୍ରହଣ କେନ୍ଦ୍ରରେ ବିଜେଡିର ଏଜେଣ୍ଟ ହୋଇ ବସିଛନ୍ତି । ତେଣୁ ସେ ଭୋଟ ଗ୍ରହଣ ପ୍ରକ୍ରିୟାରେ ଅନିୟମିତତା କରୁଥିବା ବିଜେପି କର୍ମୀମାନେ ଅଭିଯୋଗ କରିଥିଲେ । ତେଣୁ କେତେକ କର୍ମୀ ସେହି ବୁଥକୁ ଯାଇ ସଂପୃକ୍ତ ଏଜେଣ୍ଟଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ତାହା ପଚାରିଥିଲେ । ହେଲେ ଘଟଣା ସ୍ଥଳରେ ଉପସ୍ଥିତ ଥିବା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡିର ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପରିବର୍ତ୍ତେ ବିରୋଧ କରୁଥିବା ଯୁବକମାନଙ୍କୁ ଲାଠି ମାଡ କରିଥିଲେ । ଏଥିରେ ଯୁବକମାନେ ଉତ୍ତେଜିତ ହୋଇ ଯାଇଥିଲେ । ତେଣୁ ପୁଲିସ ଅଧିକାରୀ ଧରିଥିବା ଲାଠିକୁ ଛଡାଇ ଆଣି ତାଙ୍କୁ ବହେ ପିଟିଥିଲେ । ଉତ୍ତ୍ୟକ୍ତ ଜନତା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ପୁଲିସ କର୍ମଚାରୀଙ୍କୁ ଘେରି ଯାଇଥିଲେ । ସେମାନଙ୍କୁ କାହିଁକି ନିର୍ଦ୍ଦୋଶରେ ପୁଲିସ ପିଟିଲା ବୋଲି ସେମାନେ ପ୍ରତିବାଦ କରିଥିଲେ । ଏପରିକି ବିଜେପିକୁ ସମର୍ଥନ କରୁଥିବା ଲୋକମାନେ ରାସ୍ତାରେ ବସି ରହିଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଧିକ ପୁଲିସ ବଳ ପହଞ୍ଚିଥିଲା । ପୁଲିସ ଲୋକଙ୍କୁ ବୁଝାସୁଝା କରିବାରୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ତେବେ ଧାରଣା ଦେଇଥିବା ବିଜେପି କର୍ମୀମାନେ ଅଭିଯୋଗ କରିଥିଲେ ଯେ ପୁଲିସ ଶାସକ ଦଳର ହାତବାରିଶ ହୋଇ ଆମକୁ ଉଦେଶ୍ୟମୂଳକ ଭାବେ ଆକ୍ରମଣ କରିଛି । ହେଲେ ପୁଲିସ ଏହାକୁ ଅସ୍ୱୀକାର କରିଛି । ଲୋକେ ବିଶୃଙ୍ଖଳା କରିବାରୁ ଲାଠି ଚାଳନା କରାଗଲା ବୋଲି ପୁଲିସ କହିଛି । ଏହି ଘଟଣାକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଏହି ପଞ୍ଚାୟତରେ ଉତ୍ତେଜନା ଲାଗି ରହିଛି । ଏହା କେତେବେଳେ ଭୟଙ୍କର ରୂପ ନେବ ତାହା କହି ହେଉନାହିଁ । ପରିସ୍ଥିତିକୁ ଆଖି ଆଗରେ ରଖି ଏହି ପଞ୍ଚାୟତରେ ପୁଲିସ ବଳ ମୁତୟନ କରାଯାଇଛି । ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ଯେଭଳି ଏହା ଆଗକୁ ରାଜନୈତିକ ହିଂସାରେ ପରିଣତ ନ ହୁଏ ସେଥିପ୍ରତି ଆମେ ସତର୍କ ରହିଛୁ । ଅଦ୍ୟାବଧି କାହା ବିରୋଧରେ ମାମଲା ରୁଜୁ ହୋଇ ନାହିଁ କି କାହାକୁ ଗିରଫ କରାଯାଇନାହିଁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ