ରାଜନୀତିକୁ ତ୍ୱରାନ୍ୱିତ କରିବାକୁ ସଂକଳ୍ପ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଂରକ୍ଷକ, ଦେଶର ବର୍ଷିୟାନ ରାଜନେତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତାର ବଳିଷ୍ଠ ନେତୃତ୍ୱ ଓ ଡଃ ରାମ ମନୋହର ଲୋହିଆଙ୍କ ପଟ୍ଟଶିଷ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାନ୍ୟବର ମୁଲାୟମସିଂ ଯାଦବଙ୍କର ୮୩ତମ ଜନ୍ମ ଜୟନ୍ତୀ ସମାରୋହ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଦଳୀୟ କର୍ମୀମାନେ କେକ୍ କାଟିବା ସହିତ ମାନନୀୟ ମୁଲୟମ ସିଂଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ଦରଦାମ୍ ବୃଦ୍ଧି ଓ ବେକାରୀ ବିରୁଦ୍ଧରେ ସଂଗ୍ରାମ କରିବା, ରାଜ୍ୟରେ ସାମାଜିକ ନ୍ୟାୟ ଓ ପଛୁଆବର୍ଗର ସାମ୍ବିଧାନିକ ଅଧିକାର ପାଇଁ ଲଢେଇକୁ ତ୍ୱରାନ୍ୱିତ କରିବା ପାଇଁ ଦଳ ପକ୍ଷରୁ ଏକ ସଂକଳ୍ପ ପାରିତ ହୋଇଥିଲା । ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ନାରୀନେତ୍ରୀ ସୁଧାରାଣୀ ସାହୁ, ବରିଷ୍ଠ ନେତା ବିଜୟ ବେହେରା, ଯୁବ ଜନସଭା ରାଜ୍ୟ ସଭାପତି ସୁବ୍ରତ ଲେଙ୍କା, ସମାଜବାଦୀ ଛାତ୍ର ସଭାପତି ଓମ୍ ପ୍ରକାଶ ଦାସ ଓ ଦେଶପ୍ରିୟ ଦାସ ପ୍ରମୁଖ ଏହି ସମାରୋହରେ ଯୋଗ ଦେଇ ସଂକଳ୍ପ ପାଠ କରିଥିଲେ । ଶେଷରେ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।


