ରାଜନୀତିରେ ଲକ୍ଷ୍ମଣ ମଲ୍ଲିକ ଥିଲେ ଅଜାତ ଶତ୍ରୁ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ୫ମ ଶ୍ରାଦ୍ଧ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶ୍ରୀ ରାମକୃଷ୍ଣ ଆଶ୍ରମ, କଳାହାଣ୍ଡିର ପ୍ରତିଷ୍ଠାତା ସମ୍ପାଦକ ସ୍ୱାମୀ ବୈରାଗ୍ୟାନନ୍ଦ ମହାରାଜ କହିଲେ ଯେ, ରାଜନୀତି କ୍ଷେତ୍ରରେ ଆବଶ୍ୟକ ନଥାଇ ମଧ୍ୟ ବହୁ ଲୋକ ଶତ୍ରୁ ହୋଇପଡ଼ନ୍ତି କିନ୍ତୁ ଦୀର୍ଘ ୬୦ ବର୍ଷରୁ ଉଦ୍ଧ୍ୱର୍ କାଳ ରାଜନୀତି କ୍ଷେତ୍ରରେ ଲକ୍ଷ୍ମଣ ବାବୁ ଥିଲେ ମଧ୍ୟ ତାଙ୍କ କେହି ଶତ୍ରୁ ନଥିଲେ, ସେ ଥିଲେ ଅଜାତ ଶତ୍ରୁ । ଲକ୍ଷ୍ମଣ ମଲ୍ଲିକ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପୌରହିତ୍ୟ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ ସମାଜ ସେବା ପାଇଁ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଳକ୍ଷ୍ମଣ ମଲ୍ଲିକ ସ୍ମୃତି ସମ୍ମାନ ୨୦୧୯ ମୁଖ୍ୟ ଅତିଥି ସ୍ୱାମୀ ବୈରାଗ୍ୟାନନ୍ଦ ମହାରାଜ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଲକ୍ଷ୍ମଣ ବାବୁ ବହୁ ପଦ ପଦବୀରେ ମଣ୍ଡିତ ହୋଇଥିଲେ ମଧ୍ୟ ଗର୍ବ ଅହଙ୍କାର ତାଙ୍କୁ ସ୍ପର୍ଶ କରିନଥିଲା । ଜଣେ ସାଧାରଣ ଦଳିତ ପରିବାରରୁ ଆସି ନିଜର କର୍ତ୍ତବ୍ୟ ନିଷ୍ଠା ଓ ଦୃଢ ସଂକଳ୍ପ ଯୋଗୁ ସେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବେ ତାଙ୍କ ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ଅନ୍ୟତମ ଅତିଥି ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ଗୁରପଦ ନନ୍ଦ ଓ ବିଶିଷ୍ଟ କଂଗ୍ରେସ ନେତା ଅଧ୍ୟାପକ କୈଳାସ ଆଚାର୍ଯ୍ୟ କହିଲେ ଯେ, କଂଗ୍ରେସ ଦଳରେ ସମସ୍ତଙ୍କୁ ନେଇ କିପରି ଚଲାଯାଏ ସେ ବିଷୟ ଲକ୍ଷ୍ମଣ ବାବୁଙ୍କ ଠାରୁ ଶିଖିବାର କଥା । ସ୍ୱରାଜ ଆଶ୍ରମର ପୂଝାରୀ ଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ଥିବା ବ୍ୟକ୍ତି ଥିଲେ ଲକ୍ଷ୍ମଣ ମଲ୍ଲିକ । ଭୁବନେଶ୍ୱର କଂଗ୍ରେସ ଭବନ ଯେ ପର୍ଯ୍ୟନ୍ତ ଥିବ ଳକ୍ଷ୍ମଣ ବାବୁଙ୍କୁ କେହି ଭୁଲି ପାରିବେ ନାହିଁ । ସମ୍ପାଦକ ସୀତା ବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ଦେବୀ ପ୍ରସାଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ରାୟ, କଲ୍ୟାଣ ରାୟ, ତୁଷାରକାନ୍ତ, ସୁଦର୍ଶନ ପ୍ରଧାନ, ପ୍ରଦ୍ୟୁମ୍ନ ଶତପଥୀ, ପର୍ଶୁରାମ ଦ୍ୱିବେଦୀ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ