ରାଜନୀତି ଅପରାଧ ମୁକ୍ତ ହେଉ

ଦେଶରେ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅବାଧ କରିବା ପାଇଁ ବହୁବିଧ ନିର୍ବାଚନ ସଂସ୍କାର ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଦୁର୍ନୀତିଗ୍ରସ୍ତ, ଅପରାଧ ପୃଷ୍ଠଭୂମି ଥିବା ତଥା ଦାଗୀ ନେତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ଲାଗି ସୁପ୍ରିମକୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ ଦେଇ ନୂତନ ଧାରା ସୃଷ୍ଟି କରିଛନ୍ତି । ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦୁଇବର୍ଷରୁ ଅଧିକ ଦଣ୍ଡିତ ସାଂସଦ ଓ ବିଧାୟକଙ୍କୁ ୬ବର୍ଷ ପାଇଁ ନିର୍ବାଚନ ଲଢି ନପାରିବା ରାୟ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ ବଳରେ ବହୁ ସାଂସଦ ଓ ବିଧାୟକ ସେମାନଙ୍କ ପଦ ହରାଇବା ସହ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନରୁ ବଂଚିତ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କର ଏହି ରାୟ ବଳରେ ବହୁ ଦାଗୀ ନେତା ସଂସଦ ଓ ବିଧାନସଭାରୁ ଅଯୋଗ୍ୟ ଘୋଷିତ ହେବା ସହ ନିର୍ବାଚନ ଲଢିପାରିନାହାଁନ୍ତି । ଏବେ ଅଦାଲତ ଦ୍ୱାରା ଦଣ୍ଡିତ ରାଜନେତା ଜେଲରୁ ଖଲାସ ହେବା ପରେ ଏବଂ ୬ବର୍ଷର ବାସନ୍ଦ ଅବଧି ପୁରିଯିବା ପରେ ଭବିଷ୍ୟତରେ ସବୁଦିନ ପାଇଁ ଯେପରି ନିର୍ବାଚନ ଲଢିନପାରନ୍ତି ଓ କୌଣସି ଦଳୀୟ ପଦପଦବୀରେ ଅବସ୍ଥାପିତ ହୋଇନପାରନ୍ତି, ସେନେଇ ନିର୍ଦ୍ଦେଶ ଦେବା ଲାଗି ଦାୟର ଏକ ପିଟିସନ ଉପରେ କେନ୍ଦ୍ର, ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ମତାମତ ଲୋଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଲୋକ ପ୍ରତିନିଧି ଆଇନରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଦରି ଦାଗୀ ନେତାଙ୍କୁ ୬ବର୍ଷ ପାଇଁ ନିର୍ବାଚନରୁ ପ୍ରତିଦ୍ୱନ୍ଦିତାରୁ ବଂଚିତ ହୋଇଛନ୍ତି । ସେହିପରି ଦୁର୍ନୀତି ଏବଂ ଦେଶ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ସରକାରୀ ଚାକିରୀରୁ ବହିଃସ୍କୃତ କର୍ମଚାରୀ ୫ବର୍ଷ ପାଇଁ ନିର୍ବାଚନ ଲଢିନପାରିବା ନିୟମ ରହିଛି । ତେବେ ଦଳୀୟ ପଦପଦବୀରେ ଦାଗି ନେତା ନିଯୁକ୍ତି ହେବା ନେଇ ଗତ ୨୦୧୮ ମସିହାରେ କେନ୍ଦ୍ର ସରକାର ଏକ ସ୍ପଷ୍ଟିକରଣରେ ଦର୍ଶାଇଥିଲେ ଯେ, ଦାଗୀ ନେତାଙ୍କୁ ୬ବର୍ଷର ବାରଣ ନିୟମ ତାଙ୍କୁ ଦଳୀୟ ପଦପଦବୀରେ ଅବସ୍ଥାପିତ ନକରିବାରେ କୌଣସି କାରଣ ନାହିଁ । ଯେହେତୁ ଦଳୀୟ ପଦପଦବୀ ସରକାରଙ୍କୁ ପ୍ରତିନିଧିତ୍ୱ କରେନାହିଁ, ତେଣୁ କିଛି ଅସୁବିଧା ନାହିଁ ବୋଲି ସରକାର ଯାହା ଦର୍ଶାଇଛନ୍ତି, ତାହା ଅଯର୍ଥାଥ ନୁହେଁ । ଏହା ନିସନ୍ଦେହ ଯେ, ରାଜନୀତିରେ ଅପରାଧିକରଣ ଗତ କିଛି ଦଶନ୍ଧି ହେଲା, ଉଦ୍‌ବେଗର କାଣ୍ଣ ହୋଇ ରହିଆସିଛି । ଏପରିକି ୪୫ରୁ ୪୮ଜଣ ସାଂସଦଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି । ସେହିପରି ପାର୍ଲିଆମେଂଟରେ ୪୦୦ରୁ ସାଂସଦଙ୍କ ବିରୁଦ୍ଧରେ ହତ୍ୟା, ବଳାତ୍କାର, ଦୁର୍ନୀତି ଆଦି ମାମଲା ରହିଛି, ଯାହାକି ଏଡିଆର ରିପୋର୍ଟରୁ ଜଣାଯାଇଛି । ଶହ ଶହ ବିଧାୟକ ମଧ୍ୟ ଏଭଳି ଅଭିଯୋଗରୁ ମୁକ୍ତ ନୁହଁନ୍ତି । ରାଜନୀତିରେ ପ୍ରତିପକ୍ଷଙ୍କ ବିରୁଦ୍ଧରେ ବିଭିନ୍ନ ଗୁରୁତର ମାମଲା ରୁଜୁ ଆମ ଦେଶରେ କିଛି ନୂଆ ନୁହେଁ । ଜଣେ ରାଜନୈତିକ ନେତାଙ୍କ ବିରୁଦ୍ଧରେ ଅପରାଧ କେବଳ ଆଇନ ପ୍ରମାଣିତ କରିପାରିବ ହେଉଛି ଏକମାତ୍ର ପନ୍ଥା । ରାଜନୀତି ଅପରାଧ ମୁକ୍ତ କରିବା ଅଧିକ ସମୟ ସାପେକ୍ଷ ଏବଂ ସତର୍କତାର ଆବଶ୍ୟକତା ରହିଛି । ଆମ ଦେଶରେ ଦାଗୀ ନେତାଙ୍କ ବିରୁଦ୍ଧରେ ମାମଲାର ଶୁଣାଣୀ ପାଇଁ ସ୍ୱତନ୍ତ୍ର ଅଦାଲତ ରହିଛି । ମାତ୍ର ଶୁଣାଣୀ ପ୍ରକ୍ରୀୟା ଏପରି ମନ୍ଥର ଯେ, ବର୍ଷ ବର୍ଷ ଧରି ଲାଗିଯାଉଛି । ବହୁ ମାମଲା ଜୀବଦଶାରେ ମଧ୍ୟ ଫଇସଲା ହୋଇପାରୁନାହିଁ । ଶୁଣାଣୀରେ ବିଳମ୍ବ ଏବେ ଆମ ଦେଶରେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ବୋଧହୁଏ ଏଥିରେ କେହି ଦ୍ୱିମତ ହୋଇନପାରନ୍ତି । ହତ୍ୟା ଓ ବଳାକାôର, ଦୁର୍ନୀତି ଆଦି ମାମଲାରେ ଜେଲଦଣ୍ଡ ଭୋଗିବା ପରେ ୬ବର୍ଷ ପରେ ଜଣେ ପୁନର୍ବାର ନିର୍ବାଚନ ଲଢିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ଯେଉଁମାନେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସେମାନେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ପାଇଥିବା ନେତା ୬ବର୍ଷର ବାସନ୍ଦ ଅବଧି ପୁରଣ କରିଥିଲେ, ପୁନର୍ବାର ନିର୍ବାଚନ ଲଢିବା ନେଇ କୌଣସି ଆଇନଗତ ବାରଣ ନାହିଁ । ତେଣୁ ରାଜନୀତିକୁ ଅପରାଧ ମୁକ୍ତ କରିବା ସମ୍ଭବପର ନୁହେଁ । ଏଥିଲାଗି ଦେଶରେ ନିର୍ବାଚନ ଓ ଦଳୀୟ ରାଜନୀତିରୁ ଦଣ୍ଡିତ ରାଜନେତାଙ୍କୁ ଆଜୀବନ ବାସନ୍ଦ କରିବା ନେଇ ବିତର୍କର ଆବଶ୍ୟକତା ରହିଛି ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ