ରାଜନୈତିକ ଆକ୍ରୋଶରୁ କାଟିଦେଲେ ଆବାସ ଯୋଜନା ଘର
ହାଟଡିହିି, (ବିକାଶ ବିଶ୍ୱାଳ):ଯେଉଁ ଗରିବ ପରିବାର ଗୁଡିକ ଚାଳଘରେ ବାସ କରୁଥିବେ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଆବାସ ଯୋଜନା ଯୋଗାଇ ଦେବାକୁ ସରକାର ନିଷ୍ପତି ନେଇ ଲକ୍ଷ ଲକ୍ଷ ଆବାସ ଯୋଜନା ଘର ଯୋଗାଇ ଦେଇଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ବିଭିନ୍ନ କାରଣରୁ ଏହି ଗରିବ ପରିବାର ଗୁଡିକୁ ଘର ନଦେଇ ଅଯୋଗ୍ୟ ମାନଙ୍କୁ ଘର ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଯାହାକୁନେଇ ଅଭିଯୋଗ କରିଛନ୍ତି ଗେଡମା ପଞ୍ଚାୟସାହାପୁର ଗ୍ରାମର ବନ୍ଦନା ସେଠୀ । ତାଙ୍କ ଅଭିଯୋଗ ଅନୁଯାଇ ସେ ଦୀର୍ଘବର୍ଷ ହେଲା ବାପାଙ୍କ ପାଖରୁ ଅଲଗା ହୋଇ ଭିନ୍ନ ସ୍ଥାନରେ ରହି ଆସୁଛନ୍ତି । ସେ ତାଙ୍କ ପରିବାରକୁ ଧରି ଏକ ଚାଳଘରେ ବାସ କରୁଥିବାବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଆବେଦନ କରିଥିଲେ । ତାଙ୍କ ଘର ମଧ୍ୟ ଅନୁମୋଦନ ହୋଇଥିଲା । ଯାହାରକି ଆଇଡି ସଂଖ୍ୟା ୧୫୨୭୯୩୩୫୫ ଅଟେ । କିନ୍ତୁ ଗାଁର ୩୪ଜଣଙ୍କ ଘର ଅନୁମୋଦନ ହୋଇଥିବାବେଳେ ୪ଜଣଙ୍କୁ ବାଦ ଦେଇ ଅନ୍ୟ ୩୦ଜଣଙ୍କୁ ଆବାସ ଯୋଜନା ଘର ଦିଆଗଲା । ରାଜନୈତିକ ଆକ୍ରୋଶରୁ ତାଙ୍କ ନାମକୁ ପେଣ୍ଡିଙ୍ଗ ରଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଗାଁରେ ଅନେକ ଅଯୋଗ୍ୟଙ୍କୁ ଏପରିକି ଚାଳଘର ନଥିବା ବାଲାଙ୍କୁ ଘର ଯୋଗାଇ ଦିଆଯାଇଥିବାବେଳେ ତାଙ୍କ ନାମକୁ ଜାଣିଶୁଣି ବାଦ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ସେ ନୁହଁନ୍ତି ଗାଁର ପଦ୍ମାବତୀ ସେଠୀ, ଆଇଡି ନମ୍ବର ୧୫୨୭୯୩୩୫, ସୁଶମା ସେଠୀ, ଆଇଡିନଂ ୧୫୨୭୯୩୩୩୪, ରଶ୍ମିତା ସେଠୀଙ୍କ ନାମକୁ ବାଦ ଦିଆଯାଇଛି । ଏନେଇ ସେମାନେ ବାରମ୍ବାର ବ୍ଲକକୁ ଆସିବାପରେ ସେମାନେ ଅଯୋଗ୍ୟ ବୋଲି ପିଇଓ ଏବଂ ଜିଆରଏସ ରିପୋର୍ଟ ଦେଇଥିବାନେଇ ବିଭାଗୀୟ କର୍ମଚାରୀ ତାଙ୍କୁ କହିଛନ୍ତି ବୋଲି ବନ୍ଦନା କହିଛନ୍ତି । ଯଦି ସେମାନେ ଅଯୋଗ୍ୟ ତେବେ କେଉଁ କାରଣରୁ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଅନୁମୋଦିତ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପୁର୍ବରୁ ଯେଉମାନେ ଯାଇ ତାଙ୍କ ଘରର ଫଟୋ ଉଠାଇ ଆଣିଥିଲେ ଓ ଘର ସାକ୍ସନ କରାଇଥିଲେ ସେମାନେ କଣ ଅନ୍ଧ ଥିଲେକି ବୋଲି କ୍ଷୋଭର ସହ କହିଛନ୍ତି । ଖାଲି ଏହି ଗାଁ ନୁହଁ ଗେଡମା ଗ୍ରାମର ଶାନ୍ତି ବିଶ୍ୱାଳ, ତନୁଜା ବିଶ୍ୱାଳ, ଓରାଳି ପଞ୍ଚାୟତର ପ୍ରଲିପା ଜେନା, ପ୍ରତାପ ଜେନାଙ୍କ ଘରକୁ ମଧ୍ୟ ଉଦେ୍ଦଶ୍ୟ ମୁଳକ ଭାବେ କାଟି ଦିଆଯାଇଛି ବୋଲି ସେମାନେ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ଗେଡମା ପଞ୍ଚାୟତରେ ଅନେକ ଲୋକ କୋଠାଘର, ଗାଡି ଥାଇ ଏପରିକି ପୁର୍ବରୁ ଆବାସ ଯୋଜନାରେ ଘର ପାଇଥିଲେବି ସେମାନଙ୍କୁ ପୁନର୍ବାର ଆବାସ ଯୋଜନାରେ ସାମିଲ କରାଯାଇଛି ବୋଲି ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।