ରାଜନୈତିକ ଉଷ୍ମତା ବୃଦ୍ଧି : ପୌରନିର୍ବାଚନ ପ୍ରଚାରରେ କମ୍ପୁଛି ସହର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୈନନ୍ଦିନ ଗ୍ରୀଷ୍ମତାତି ବୃଦ୍ଧି ପାଉଥିବା ବେଳେ ପାଖେଇ ଆସୁଥିବା ପୌରନିର୍ବାଚନ ପ୍ରଚାରର ସେହିପରି ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି । ପ୍ରଚାର ପାଇଁ ଆଉ ମାତ୍ର ୨ଦିନ ଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ପାରା ୪୦ଡିଗ୍ରୀ ଛୁଇଁ ଥିବାର ଜଣାପଡିଛି । ଲୋକେ ଗ୍ରଷ୍ମ ଉତ୍ତାପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ଯାତାୟତ କରୁଥିବା ବେଳେ ମଧ୍ୟାହ୍ନ ସମୟରେ ରାସ୍ତାଘାଟରେ ଚହଳ କମିବାରେ ଲାଗିଛି । ହେଲେ ବିଶେଷ କରି ୩ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କ ମାଇକ ଓ ଡିଜେ ପ୍ରଚାରରେ ସହର କମ୍ପିବାରେ ଲାଗିଛି । ୩ ଦଳର ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ସହ ମଙ୍ଗ ଧରିଥିବା ମଙ୍ଗୁଆଳ ମାନେ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ମସଗୁଲ ରହୁଛନ୍ତି । ନିଜ ନିଜ ଦଳକୁ ନିର୍ବାଚନ ବୈତରଣୀ ପାର କରାଇବାକୁ ଯାଇ ଭୋଟଭିକ୍ଷା, ସ୍ଥାନୀୟ ସମସ୍ୟା ଗୁଡିକୁ ସମାଧାନ କରିବାର ପ୍ରତିଶ୍ରୁତିମାନ ଦେଇ ଘର ଘର, ସାହି ସାହି, ବସ୍ତି ବସ୍ତ ବୁଲୁଛନ୍ତି । ତେବେ ପ୍ରଚାର ମଇଦାନରେ କଂଗ୍ରେସ ଦଳ ଟିକେ ପଛୁଆ ଥିବା ବେଳେ ସବୁଠାରୁ ଆଗରେ ବିଜେଡି ଓ ପରେ ବିଜେପି ଦଳ ରହିଛି । ବିଜେଡିପାଇଁ ଦଳର ଜିଲ୍ଲାସଭାପତି ପ୍ରଦୀପ ନାୟକଙ୍କ ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ମହିଳା ଉପସଭାନେତ୍ରୀ ସଂଯୁକ୍ତା ବେହେରାଙ୍କ ସମେତ ଡ.ତିରୁପତି ପାଣିଗ୍ରାହୀ, ପୂର୍ବତନ ବିଜେଡି ସଭାପତି ବସନ୍ତ ଦାସ, ଯୁବ ନେତା ଇଂ.ରୂପେଶ ପାଣିଗ୍ରାହୀ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ସେହିପରି ବିଜେପି ଦଳ ପାଇଁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଙ୍କ ସମେତ ଜିଲ୍ଲାନେତୃବୃନ୍ଦ ମଙ୍ଗ ଧରି ସହରର ସମସ୍ତ ୱାର୍ଡ ଗୁଡିକୁ ଯାଇ ଦଳୀୟ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ପାଇ ଭୋଟ ଭିକ୍ଷା କରୁଥିବାର ଲକ୍ଷ୍ୟ କରାଯାଉଛି । କଂଗ୍ରେସ ଦଳ ପାଇଁ ସେମିତି ଜିଲ୍ଲାସ୍ତରୀୟ ଷ୍ଟାର ନେତା ନଥିବା ବେଳେ ନିଜେ ନିଜେ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ଦଳୀୟ କର୍ମୀଙ୍କୁ ନେଇ ପ୍ରଚାର ଜମାଉଛନ୍ତି । ବାମପନ୍ଥୀ ଦଳ ପାଇଁ ଜେନା ସୁବାସଚନ୍ଦ୍ର ରାଓ ଓ ଆପ୍ ପାଇଁ ଶିଶିର କୁମାର ଭଞ୍ଜସାମନ୍ତରାୟ ନିଜ ନିଜ ଦଳ ପାଇଁ ମଙ୍ଗୁଆଳ ସାଜିଛନ୍ତି । ତେବେ ଏହି ଦୁଇ ଦଳ ସୀମିତ ୱାର୍ଡରେ ନିଜ ନିଜ ପ୍ରାର୍ଥୀ ଦେଇଛନ୍ତି । ସହରର ସମସ୍ତ ୧୬ଗୋଟି ୱାର୍ଡର ୩୬ହଜାର ୭୪ ଭୋଟର ଙ୍କୁ ନେଇ ଆକଳନ ବା ଅଙ୍କକୋଷା ଜାରି ରଖିଛନ୍ତି ବିଭିନ୍ନ ଦଳ । ତେବେ ମାର୍ଚ୍ଚ ୨୬ତାରିଖରେ ମତଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ