ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା) :ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ପାଇଁ ତାରିଖ ଘୋଷଣା ହେବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ପଂଚାୟତ ନିର୍ବାଚନର ବିଭିନ୍ନ ପର୍ଯ୍ୟାୟ ଓ ପ୍ରକ୍ରିୟା, ଆଦର୍ଶ ଆଚରଣ ବିଧି, କୋଭିଡ୍‌-୧୯ ମାର୍ଗଦର୍ଶିକା ଇତ୍ୟାଦି ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହିତ ନିର୍ବାଚନ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବେଶ କୁମାର ନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ରବି ଚନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହି ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ । ବିଶେଷ କରି ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଆଦର୍ଶ ଆଚରଣ ବିଧି, କୋଭିଡ୍ କଟକଣା, ଭୋଟ୍ ଗ୍ରହଣ, ଭୋଟ୍ ଗଣତି, କଂଟ୍ରୋଲ୍ ରୁମ୍ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଆସନ୍ତା ଫେବୃୟାରୀ ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ଜାନୁଆରୀ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ, ୨୨ ତାରିଖରେ ପ୍ରାର୍ଥିପତ୍ର ଯାଂଚ ଏବଂ ୨୩ତାରିଖରୁ ୨୫ତାରିଖ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ । ସେହି ୨୫ତାରିଖ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୱାର୍ଡମେମ୍ବର ଓ ସରପଂଚ ପ୍ରାର୍ଥୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଭୋଟ୍ ଗ୍ରହଣ ଫେବୃୟାରୀ ୧୬ତାରଖରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ସକାଳ ୭ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଫେବୃୟାରୀ ୧୬ତାରିଖରେ ଭୋଗରାଇ ଓ ଜଳେଶ୍ୱର ବ୍ଲକ, ଫେବୃୟାରୀ ୧୮ରେ ବସ୍ତା ଓ ବାଲିଆପାଳ ବ୍ଲକ୍‌, ଫେବୃୟାରୀ ୨୦ରେ ଖଇରା, ସୋର ଓ ସିମୁଳିଆ ବ୍ଲକ, ଫେବୃୟାରୀ ୨୨ତାରିଖରେ ବାହାନଗା, ଔପଦା ଓ ନୀଳଗିରି ବ୍ଲକ ଏବଂ ଫେବୃୟାରୀ ୨୪ତାରିଖରେ ରେମୁଣା ଓ ବାଲେଶ୍ୱର ସଦର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜନୈତିକ ଦଳମାନେ ସେମାନଙ୍କର ପୋଲିଂ ଏଜେଂଟ ଏବଂ କାଉଂଟିଂ ଏଜେଂଟମାନଙ୍କୁ ନିର୍ବାଚନ ଆଚରଣ ବିଧି, କୋଭିଡ୍ କଟକଣା ଏବଂ ଅନ୍ୟାନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଛନ୍ତି । କୋଭିଡ୍ କଟକଣାକୁ କଡାକଡି ପାଳନ କରାଯାଇ ନିର୍ବାଚନ କରାଯିବ । ପଂଚାୟତ ନିର୍ବାଚନରେ ସମସ୍ତ ପ୍ରକାର ସଭାସମିତି, ମୋଟର ସାଇକେଲ ରାଲି, ପଥପ୍ରାନ୍ତ ସଭା ଆଦି ଉପରେ କଟକଣା ଜାରି କରାଯାଇଥିବା ବେଳେ, ପ୍ରାର୍ଥୀମାନେ ସର୍ବାଧିକ ୫ଜଣଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ । ଡାକବାଜି ଯନ୍ତ୍ର/ଲାଉଡସ୍ପିକର ବ୍ୟବହାର ପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡିବ । ତେବେ ରାତି ୮ଘଟିକା ଠାରୁ ସକାଳ ୭ଘଟିକା ପର୍ଯ୍ୟନ୍ତ ଏବଂ ଭୋଟଗ୍ରହଣର ୩୬ ଘଂଟା ପୂର୍ବରୁ ଏହାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ କେବଳ ଗୋଟିଏ ଗାଡି ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଦୁଇଟି ଟିକା ନେଇଥିବା ଏବଂ କୋଭିଡ୍ ନେଗେଟିଭ୍ ଥିବା ପୋଲିଂ ଏଜେଂଟ/ବ୍ୟକ୍ତିଙ୍କୁ ହିଁ ଭୋଟଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଭୋଟ୍‌ଗ୍ରହଣ କେନ୍ଦ୍ରକୁ ସାନିଟାଇଜ୍ କରାଯିବା ସହିତ ସେଠାରେ ସାବୁନ, ପାଣି, ସାନିାଟଇଜର ବ୍ୟବସ୍ଥା କରାଯିବ । ଭୋଟରମାନେ ମାସ୍କ ପିନ୍ଧିବା ସହ ଯେଭଳି ସାମାଜିକ ଦୂରତା ବଜାୟ ରଖିବେ ତାହାକୁ କେନ୍ଦ୍ରରେ ନିୟୋଜିତ ଅଧିକାରୀ ସୁନିଶ୍ଚିତ କରିବେ । ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟଦାନ କକ୍ଷରେ ଅତି ଅଳ୍ପ ସମୟ ପାଇଁ ସେମାନଙ୍କୁ ମାସ୍କ କାଢିବାକୁ ଏବଂ ଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବ । କ୍ୱାରାଂଟାଇନରେ ଥିବା କୋଭିଡ୍ ଆକ୍ରାନ୍ତଙ୍କୁ ଭୋଟଗ୍ରହଣ ଦିନ ଶେଷ ଏକ ଘଂଟା ( ଦିନ ୧୨ଟାରୁ ୧ଟା) ସମୟସୀମା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଟଦାନ ପାଇଁ ଅନୁମତି ମିଳିବ । ଫେବୃୟାରୀ ୨୬, ୨୭ ଓ ୨୮ତାରିଖରେ ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରୀ ଭୋଟଗଣତି ହେବ । ଏଥି ପାଇଁ ଜୋନୱାରୀ ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯିବା ସହିତ ସେଠାରେ ସିସିଟିଭି ଏବଂ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ଆଦର୍ଶ ଆଚରଣ ବିଧି ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ଆଦର୍ଶ ଆଚରଣ ବିଧି ଓ କୋଭିଡ୍ ମାର୍ଗଦର୍ଶିକା ଉଲ୍ଲଙ୍ଘନ ଏବଂ ଭୁଲ୍ ସତ୍ୟପାଠ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ କଂଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ନିର୍ବାଚନ ସଂକ୍ରାନ୍ତରେ କୌଣସି ପ୍ରକାର ସନ୍ଦେହ, ଦ୍ୱନ୍ଦ୍ୱ କିମ୍ବା ଅଭିଯୋଗ ଥିଲେ କଂଟ୍ରୋଲ ରୁମ ଫୋନ ନମ୍ବରରେ ଜଣାଇହେବ । ବୈଠକରେ ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ଶତ୍ରୁଘ୍ନ ମଲ୍ଲିକ, ଶ୍ରୀ ଗୋପୀନାଥ ପାଢୀ, ଶ୍ରୀ କେଶବ କୁମାର ଆଚାର୍ଯ୍ୟ, ଶ୍ରୀ ପ୍ରେମରଂଜନ ପାତ୍ର, ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ଶ୍ରୀ ନିରଞ୍ଜନ ପରିଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ