ରାଜନୈତିକ ପ୍ରତିନିଧିମାନଙ୍କ ବୟସସୀମା ରହୁ : ନାଗରିକ ସମାଜ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ରାଜନୈତିକ ଦଳର ପ୍ରତିନିଧିଭାବେ ନିର୍ବାଚନ ଲଢିବାକୁ ଯାଉଥିବା ବ୍ୟକ୍ତିବିଶେଷଙ୍କର ବୟସ ୭୫ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ବୋଲି ବିଭିନ୍ନ ବର୍ଗର ତୁଙ୍ଗ ନେତୃବର୍ଗଙ୍କର ମତପ୍ରକାଶ ପାଇଛି । ଓଡ଼ିଶା ନାଗରିକ ସମାଜର ୧୦ମ ସ୍ୱନକ୍ଷତ୍ର ପାଳନ ଅବସରରେ ବକ୍ତାମାନେ ଏହା ମତପୋଷଣ କରିଥିଲେ । ଯେଉଁ ଲୋକପ୍ରତିନିଧିମାନେ ନିର୍ବାଚନକୁ ଯାଉଛନ୍ତି, ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ବୟସସୀମା ଏବଂ ବିଭିନ୍ନ ଲୋକ କଲ୍ୟାଣ କାର୍ଯ୍ୟକ୍ରମକୁ ଆଧାର କରି ଲୋକ ପ୍ରତିନିଧିଭାବେ ବିଭିନ୍ନ ଦଳରେ ଚୟନ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ନିର୍ବାଚନ ସଂସ୍କାର ଉପରେ ଆଧାରିତ ଆଲୋଚନାଚକ୍ରରେ ଓଡ଼ିଶା ନାଗରିକ ସମାଜର କାର୍ଯ୍ୟକାରୀ ସଭାପତି ରମେଶ ମହାନ୍ତି ପୌରହିତ କରିଥିଲେ । ଏଥିରେ ଅଂଶଗ୍ରହଣ କରି ଡ଼ାକ୍ତର ଭଗବାନ ପ୍ରକାଶ, ବିଧାୟିକା ଲତିକା ପ୍ରଧାନ, କେନ୍ଦ୍ର ଶ୍ରମ ଓ ନିୟୋଜନ ସଚିବ ଡ଼କ୍ଟର ବିରଞ୍ôଚ ନାରାୟଣ ନନ୍ଦ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା, କଂଗ୍ରେସ ନେତା ଗଣେଶ୍ୱର ବେହେରା, ପୂର୍ବତନ ପ୍ରଶାସକ ଅବସର ବେଉରିଆ, ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ପ୍ରମୁଖ ନିର୍ବାଚନ ସଂସ୍କାର ଉପରେ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ନାଗରିକ ସମାଜର ସମ୍ପାଦକ ଶ୍ରୀନିବାସ ମହାନ୍ତି ନାଗରିକ ସମାଜର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ନିର୍ବାଚନ ସଂସ୍କାର ଏବଂ ମୂଲ୍ୟବୋଧଭିତ୍ତିକ ରାଜନୈତିକ ପ୍ରତିନିଧି ସମ୍ପର୍କିତ ବିତର୍କରେ ବିଭିନ୍ନବର୍ଗର ଲେଖକ ଅଂଶଗ୍ରହଣ କରିଥିଲେ । ଶେଷରେ ଇଂ ଲଳିତ ମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରକୁ ଓନାସ ପକ୍ଷରୁ ମଧୁସୂଦନ ଦାସ ପରିଚାଳନା କରିଥିଲେ । ଏହି ଅବସରରେ ଓଡ଼ିଶା ନାଗରିକ ସମାଜ ପକ୍ଷରୁ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକଙ୍କୁ ନିର୍ଭିକ ନାଗରିକ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା । ସେହିପରି ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଧର ପାତ୍ର ଓ ସୁଜାତା ପାତ୍ର, ଜ୍ୟୋତ୍ସ୍ନା ଦାସ ଓ ସତ୍ୟବ୍ରତ ଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ