ରାଜନୈତିକ ଶତ୍ରୁତା ରୁ ଭାଜପା କାର୍ଯ୍ୟକର୍ତ୍ତା ଙ୍କୁ ମରଣାନ୍ତକ ଆକ୍ରମଣ ; ଥାନାରେ ଏତଲା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ବୋମକେଇ ଗ୍ରାମର ଭାଜପା ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ବାପି ପ୍ରଧାନଙ୍କୁ ଶନିବାର ସକାଳେ ମରଣାନ୍ତକ ଆକ୍ରମଣ କରାଯାଇଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ହତ୍ୟା ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ଲଢି ପରାଜିତ ହୋଇଥିବା ବାପି ତାଙ୍କ ଘର ନିକଟ ଏକ ସିମେଣ୍ଟ ଦୋକାନରେ ବସିଥିଲେ। ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ ଟାରେ ଦେଓଖାଳି ଗାଁ ର ରଜିତ କୁମାର ପ୍ରଧାନ ଓ କୁନା ପ୍ରଧାନ ସେଠାରେ ପହଞ୍ଚି ଏକ ଠେଙ୍ଗା ରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ବାପିଙ୍କ ମୁଣ୍ଡକୁ ଲକ୍ଷ୍ୟକରି କୁନା ଠେଙ୍ଗା ରେ ମାଡ଼ ମାରିବା ବେଳେ ପାଖରେ ଥିବା ସିମେଣ୍ଟ ଦୋକାନୀ ଠେଙ୍ଗା ଟିକୁ ଧରିଦେବାରୁ ତାଙ୍କ ବାମ ହାତ ଆଙ୍ଗୁଠି ଫାଟି ଯାଇଥିବା ଜଣାପଡିଛି।ପରେ ବାପି ଙ୍କୁ କୁନା ଠେଙ୍ଗା ରେ ବାରମ୍ବାର ମାଡ଼ ମାରିବାରୁ ତାଙ୍କ ବାମ ହାତ ରେ ଗଭୀର ଆଘାତ ଲାଗିଛି।ଖବର ପାଇ କେ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ବାପିଙ୍କୁ ବୋମକେଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସନ୍ଧ୍ୟାରେ ବାପି ଏନେଇ କେ. ନୂଆଗାଁ ଥାନାରେ ଏତଲା ଦେଇଥିବା କହିଛନ୍ତି।ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଏତଲାକୁ ଭିତ୍ତିକରି ମକଦ୍ଦମା ରୁଜୁ କରିବାସହ ଘଟଣାର ତଦନ୍ତ କରୁଥିବା କହିଛନ୍ତି।ସୂଚନାଯୋଗ୍ୟ ଏହିକିଯେ, ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବୋମକେଇ ପଞ୍ଚାୟତରେ ଭାଜପା – ବିଜେଡ଼ି ଦୁଇ ପ୍ରତିପକ୍ଷ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ଏକାଧିକ ଆକ୍ରମଣ – ପ୍ରତି ଆକ୍ରମଣ ମାମଲା ଦିଗପହଣ୍ଡି କୋର୍ଟରେ ବିଚାରାଧୀନ ଥିବା ଜଣାପଡିଛି।