ରାଜନୈତିକ ହତ୍ୟାକାଣ୍ଡ : ବିଜେଡି ଯୁବନେତାଙ୍କୁ ହତ୍ୟା 

ବୁଗୁଡ଼ା, (ଅନିଲ କୁମାର ମହାରଣା) :ହୋଲି ରଙ୍ଗ ପୂର୍ବରୁ ଦୁର୍ବୃତ୍ତ ମାନେ ଖେଳିଲେ ରକ୍ତର ହୋଲି। ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାରେ ଗଡ଼ିଲା ମୁଣ୍ଡ। ମାର୍ଚ୍ଚ ୧୮ ତାରିଖ ରାତ୍ରରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ଯୁବନେତା ଅମିତ ଆଚାର୍ଯ୍ୟଙ୍କୁ ସେହି ଗ୍ରାମର କେତେ ଜଣ ଦୁର୍ବୃତ୍ତ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣି ଗଳା କାଟି କରିଥିଲେ ହତ୍ୟା। ସ୍ୱର୍ଗତ ଅମିତ ଆଚାର୍ଯ୍ୟଙ୍କ ଭାଇ କହିବା ଅନୁସାରେ ତାଙ୍କ ଭାଇ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ହତ୍ୟା କରିବାକୁ ବିରୋଧୀ ବିଜେପି ଗୋଷ୍ଠୀ ଧମକ ଦେଇଥିଲେ। ୧୮ ତାରିଖ ରାତ୍ର ପ୍ରାୟ ୧୦ ଟା ସମୟରେ ଅମିତ ଆଚାର୍ଯ୍ୟ ବନ୍ଥପଲ୍ଲୀ ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ବିରୋଧୀ ଗୋଷ୍ଠୀ ଆକ୍ରମଣ କରିଥିଲେ। ଅମିତଙ୍କ ବାଇକ ରାସ୍ତା କଡରେ ପଡିଥିବା ବେଳେ ତାଙ୍କ ମର ଶରୀର ଏକ କ୍ଷେତରେ ପଡିଥିଲା। ମାର୍ଚ୍ଚ ୧୯ ତାରିଖ ସକାଳେ ଘଟଣା ଜଣା ପଡିବା ପରେ ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଅମିତଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ପୋଲସରା ପୋଲିସ ଥାନା କେଶ ନଂ ୧୧୩/୨୨ ପ୍ରକାରେ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ତପନ ଆଚାର୍ଯ୍ୟ, ରଞ୍ଜନ ବେହେରା ଓ ତାପିନ ଗୌଡ଼ ତିନି ଜଣଙ୍କ ନାମରେ ପୋଲସରା ପୋଲିସ ଥାନା କେଶ ନମ୍ବର ୧୧୩/୨୨ ପ୍ରକାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିବା ନେଇ ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ଆସାମୀ ତିନି ଜଣ ଫେରାର ଥିବା ବେଳେ ଖୁବ ଶୀଘ୍ର ଗିରଫ କରିବା ପାଇଁ ଉଦ୍ୟମ ହୋଇଥିବା ଜଣାପଡିଛି। ଶନିବାର ଅପରାହ୍ନରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁକ୍ତାମାଳଦେଇପୁର ଗ୍ରାମରେ ପହଞ୍ଚି ହତ୍ୟା କାଣ୍ଡରେ ମୃତ୍ୟୁ ବରଣ କରିଥିବା ଅମିତ ଆଚାର୍ଯ୍ୟଙ୍କ ପରିବାରକୁ ଭେଟି ସମବେଦନା ପ୍ରକାଶ କରିବା ସହ ଆଶ୍ୱାସନା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ ସ୍ବର୍ଗତ ଅମିତ ଆଚାର୍ଯ୍ୟ ବିଜୁ ଜନତା ଦଳର ଜଣେ ଆଗଧାଡ଼ିର କର୍ମୀ ଥିବାବେଳେ ବିଜେପି କର୍ମୀମାନେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଯୋଗୁଁ ସେ ତାହାର ଦୃଢ଼ ନିନ୍ଦାକରିବା ସହ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ କରିବେ। ବିଧାୟକ ଶ୍ରୀ ସାହୁ ସେହି ଗ୍ରାମରେ ଥିବା ସମୟରେ ଶବ ବ୍ୟବଚ୍ଛେଦ ପରେ ଅମିତ ଆଚାର୍ଯ୍ୟଙ୍କ ମର ଶରୀର ଗ୍ରାମରେ ପହଞ୍ଚିଥିଲା। ଗ୍ରାମ ଲୋକାରଣ୍ୟରେ ପରିଣତ ହୋଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ