ରାଜପଥରେ ମୃତ ପଶୁଙ୍କୁ ନେଇ ଲୋକେ ଅତିଷ୍ଠ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):୧୬ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଅନେକ ସ୍ଥାନରେ ଡ୍ରାଇଭର୍ଶନ ଓ ଗଳା ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭଦ୍ରକ ଠାରୁ ଆଖୁଆପଦା ଯାଏଁ ୬ଲାଇନ ବିଶିଷ୍ଟ ରାସ୍ତା କାର୍ଯ୍ୟ ନିର୍ମାଣ ଅନେକ ଶେଷ ହୋଇଯାଇଥିବା ବେଳେ ଗାଡି ଚଳାଚଳ ସ୍ୱାଭାବିକ ହୋଇଗଲାଣି। ପରିତାପର ବିଷୟ ଏବେ ଉଭୟ ପାର୍ଶ୍ୱ ରାସ୍ତା ପାରି ହୋଇ ଗୋରୁ ଗାଈ, ଛେଳି, ମେଣ୍ଢା ଓ କୁକୁର ଯାତାୟତ କରୁଥିବା ବେଳେ ଅନେକ ଦୁର୍ଘଟଣା ର ଶିକାର ହେଉଥିବା ଦେଖାଯାଉଛି। ବିଶେଷ କରି ରାସ୍ତା ଉପରେ ପ୍ରତ୍ୟକ ଦିନ ୧୦/୨୦କୁକୁର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଥିବା ଜଣାପଡିଛି। ଏପରିକି ଅନେକ ଗାଈ ଗୋରୁ ମଧ୍ୟ ଦ୍ରୁତ ବେଗରେ ଯାଉଥିବା ଗାଡି ଧକ୍କାରେ ଆହତ ହେଉଥିବା ବେଳେ କିଛି ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ରାଜପଥ ଉପରେ ମୃତ ଗୋରୁ ଗାଈ ଓ କୁକୁର ଗୁଡିକ ପଡି ରହୁଥିବା ବେଳେ ନିୟମ ଅନୁସାରେ ଏହାକୁ ସତ୍କାର କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏପରିକି ରାସ୍ତା ନିର୍ମାଣ କାରୀ ସଂସ୍ଥା ମଧ୍ୟ ମୃତ ପଶୁଙ୍କୁ ଉଠାଉନାହାନ୍ତି। ଯାହା ଫଳରେ ମରିପଡିଥିବା ପଶୁ ଗୁଡିକ ପଚି ଯାଉଥିବା ଯୋଗୁ ସେଗୁଡିକ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି କରୁଛି। ଏଥିଯୋଗୁଁ ସାଧାରଣ ଯାତାୟତ ରେ ଘୋର ବାଧା ସୃଷ୍ଟି ହେଉଥିବା ବେଳେ ସାଇକେଲ ଓ ମୋଟର ସକକେଲ ଆରୋହୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।