ରାଜମିସ୍ତ୍ରୀ ପ୍ରଶିକ୍ଷଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପକ୍ଷରୁ ୪୫ଦିନିଆ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସରପଞ୍ଚ ମଣିକାଞ୍ଚନ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଗୁଳର ଏକ ଘରୋଇ ସଂସ୍ଥା ପ୍ରାୟ ୩୦ଜଣ ଅଣକୁଶଳୀ ଶ୍ରମିକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଉକ୍ତ ପ୍ରଶିକ୍ଷଣରେ ମିସ୍ତ୍ରୀମାନଙ୍କୁ ସଂସ୍ଥା ପକ୍ଷରୁ ଦୈନିକ ୧୦୦ଟଙ୍କା ଓ ବ୍ଲକ ପକ୍ଷରୁ ୩୨୦ଟଙ୍କା ପ୍ରଦାନ କରାଯାଉଛି । ପ୍ରଶିକ୍ଷଣ ସହିତ ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନା ଗୃହ ଗୁଡିକର ନିର୍ମାଣ କାର୍ଯ୍ୟରେ ମିସ୍ତ୍ରୀ ମାନଙ୍କୁ ନିୟୋଜିତ କରାଯାଉଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ବେହେରା ଓ ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେନାପତି ଏଗୁଡିକୁ ତଦାରଖ କରୁଛନ୍ତି । ସେହିଭଳି କୁରିଗାଁ , ରାଜେନ୍ଦ୍ରପୁର ପଞ୍ଚାୟତ ପକ୍ଷରୁ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି । ଏଠାରେ ସୂଚିତ ଯେଉଁଠି କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ପଇସା ଯୋଗାଡ କରିପାରୁନାହାଁନ୍ତି କିମ୍ବା ଘର ତିଆରି ପାଇଁ ସରଞ୍ଜାମ ମିଳିବାରେ ବିଳମ୍ବ ହେଉଛି ସେଠି ପ୍ରଶିକ୍ଷାର୍ଥୀ ମିସ୍ତ୍ରୀମାନେ ନିୟୋଜିତ ହୋଇପାରୁନାହାଁନ୍ତି । ତେଣୁ ସରକାରଙ୍କ ବାସଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ସଠିକ ସମୟରେ ପୂରଣ ହୋଇପାରୁନାହିଁ । ଟେଣ୍ଡର ଜରିଆରେ ଏକ ଘରୋଇ କମ୍ପାନୀକୁ ପ୍ରଶିକ୍ଷଣ ଦାୟିତ୍ୱ ଦିଆଯାଇ ଯେଉଁ କୋଟିକୋଟି ବ୍ୟୟ ବରାଦ କରାଯାଉଛି ତାହା କେବଳ ଲୋକଦେଖାଣିଆ ବୋଲି ମତ ପ୍ରକାଶ ପାଇଛି ।


