ରାଜରାସ୍ତାରେ ମାଣ ବସାଇଲା ଏ.ଏନ୍‌.ଏମ୍ ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ନିଜର ଦାବି ହାସଲ ପାଇଁ ଆଜକୁ ଦୁଇଦିନ ଧରି ଶୀତ, କାକରରେ ଲୋୟର ପିଏମ୍‌ଜି ଛକରେ ଆମରଣ ଅନଶନରେ ବସି ରହିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଗୁରୁବାର ସକାଳୁ ମହିଳାମାନେ ନିଜର ନିତ୍ୟକର୍ମ ସାରି ରାଜରାସ୍ତାରେ ମାର୍ଗଶିର ମାସ ଗୁରୁବାର ମାଣ ବସାଇ ପୂଜାର୍ଚ୍ଚନା କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ ଯେ, ମହିଳା ସଶକ୍ତିକରଣ ନାମରେ ମୁଖ୍ୟମନ୍ତ୍ରୀ ଯେଉଁ ବହୋସ୍ପଟ ମାରୁଛନ୍ତି ତାଙ୍କ ରାଜ୍ୟରେ କେତେଜଣ ମହିଳାମାନଙ୍କୁ ସଶକ୍ତିକରଣ କରିଛନ୍ତି ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଭାବେ ଜଣାଇବେ କି? ପୂର୍ବଦିନ ମାନଙ୍କ ଭଳି ମହିଳମାନେ ଆମରଣ ଅନଶନରେ ବସିବା ପରେ ହଠାତ୍ ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ, କେନ୍ଦ୍ରାପଡ଼ା ସଭାପତି ସାବିତ୍ରୀ ଲେଙ୍କା, ଢେଙ୍କାନାଳର ବାରୁଣୀ ମଲ୍ଲିକ, ଗୀତାଞ୍ଜଳି ରାଉତରାୟ, ଶିଲଲତା କର ଏବଂ ଲୋପାମୁଦ୍ରା ନାୟକ ୬ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ପୋଲିସ୍ ସହାୟତାରେ କ୍ୟାପିଟାଲ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଡ଼ାକ୍ତରଙ୍କଠାରୁ ପ୍ରକାଶ ଏବଂ ଜଣେ ଗର୍ଭବତୀ ମହିଳା ଅତି ଗୁରୁତର ଥିବାରୁ ଡ଼ାକ୍ତରମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏସବୁକୁ ନଜରରେ ରଖି ରାଜ୍ୟ ସଭାପତି ଶ୍ରୀଯୁକ୍ତ ପାର୍ଥସାରଥୀ ଜେନା ଘୋଷଣା କରିଛନ୍ତି ଯେ, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର କିଛି ବି ଅଘଟଣ ଘଟେ, ତେବେ ସେଥିପାଇଁ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏବଂ ଉକ୍ତ ବିଭାଗରେ କାର୍ଯ୍ୟରତ ଉଚ୍ଚପଦସ୍ଥ ଅଧିକାରୀମାନେ ଦାୟୀ ରହିବେ । ଶ୍ରୀଯୁକ୍ତ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଏ.ଏନ୍‌.ଏମ୍ ତାଲିମ୍ ନେଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାଓବାଦୀ ଓ ସନ୍ତ୍ରାସବାଦୀ ସୃଷ୍ଟି କରିବା ପାଇଁ ସରକାର ପରୋକ୍ଷରେ ଏକ ପ୍ରକାର ବାଧ୍ୟ କରୁଛନ୍ତି । ଏ ସବୁ ସତ୍ତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ ସଂଘର ଦାବି ପୂରଣ ନ କରନ୍ତି, ତେବେ ଏହି ଆମରଣ ଓ ଅନଶନକୁ ଆହୁରି ତୀବ୍ରତର କରାଯିବା ସହ ଆସନ୍ତା କାଲି ନବୀନ ନିବାସ ଘେରାଉ କରାଯିବା ସହ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମହୁତି ଦେବେ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ଆମରଣ ଅନଶନରେ ରାଜ୍ୟ ସଭାପତି ପାର୍ଥସାରଥୀ ଜେନାଙ୍କ ସମେତ ସୋନାଲି ମହାନ୍ତି, ସୁପ୍ରିୟା ଦାସ, କଲ୍ୟାଣୀ ପ୍ରଧାନ, ସବିତା ପଟେଲ, ଲକ୍ଷ୍ମୀପ୍ରିୟା ବେଉରା, ସଙ୍ଗୀତା ରାଉଳଙ୍କ ସମେତ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ