ରାଜର୍ଷି ନବକୃଷ୍ଣ ଚୌଧୁରୀ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ସାରସ୍ୱତ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ ସ୍ୱାଧୀନତା ସଂଗ୍ରାମୀ, ଜନନେତା, ପ୍ରାକ୍ତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବହୁ ବ୍ୟକ୍ତିତ୍ୱର ଅଧିକାରୀ ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ସ୍ଥାନୀୟ ବିଧାନସଭା ନିକଟ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓ ଆମେ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ସଂଯୋଜନା କରି ମତବ୍ୟକ୍ତ କରିଥିଲେ ଯେ, ନବକୃଷ୍ଣ ଚୌଧୁରୀ ଥିଲେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ । ଭୂ-ସଂସ୍କାର ଆଇନ, ନିଶା ନିବାରଣ ଆଇନ ତଥା ଓଡ଼ିଆ ଭାଷା ଆଇନ ଆଣିବାରେ ସେ ଥିଲେ ସର୍ବପ୍ରଥମ ଓଡ଼ିଆ । ଜଣେ ଦରଦୀ ଜନନେତା ସହିତ ଓଡ଼ିଆ ଭାଷା, ସାହିତ୍ୟ ତଥା ସାଧାରଣ ଜନତାଙ୍କର ସ୍ୱାର୍ଥ ଯେପରି ସାଧିତ ହୋଇପରିବ ସେ ଦିଗରେ ଅହରହ ଉଦ୍ୟମ କରିଆସୁଥିଲେ । ସମଗ୍ର ବିଚ୍ଛିନ୍ନାଞ୍ଚଳକୁ ଏକତ୍ରିକରଣ କରିବା ଉଦ୍ୟମ ବେଶ୍ ପ୍ରଶଂସନୀୟ ଥିଲା । ତାଙ୍କ ସଂପୂର୍ଣ୍ଣ ଜୀବନ ସଚ୍ଚୋଟତା, ସରଳତା ଓ ସାଧୁତାରେ ପରିପୂର୍ଣ୍ଣ ଥିଲା । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସାରସ୍ୱତ ସାଧିକା ସୁମିତ୍ରା ଜେନା, ଭାଷାବିତ୍ ଅଦୈତ ପାତ୍ର, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ନିରଂଜନ ପଣ୍ଡା, ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଦିଲ୍ଲୀପ ଦାସଶର୍ମା, ଉପସ୍ଥିତ ରହିବା ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସଂଗ୍ରାମୀ ବିଜୟ ପରିଡ଼ା, କମାଣ୍ଡର ନନ୍ଦ କିଶୋର ସାମଲ, ଫଟୋ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ମହନ୍ତ କମଳ ଲୋଚନ ଦାସ ଓ ରମେଶ ଚନ୍ଦ୍ର ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଆନୁଷ୍ଠାନିକ ଭାବେ ସଂଯୋଜକ ବାପୁ ଓଝା ଧନ୍ୟବାଦ ଅର୍ପଣ କରିଥିବାବେଳେ ନାରାୟଣ ଖୁଂଟିଆ, ସଂଜୟ ପରିଡ଼ା, ଗିରିଜା ମହାପାତ୍ର, ତନ୍ମୟ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।