ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ୨୪ରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ଆସନ୍ତା ୨୪ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ ସମାରୋହ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଅଧିବେସନକୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟକ ଭାବେ ଯୋଗଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ମୁଖ୍ୟବକ୍ତା ଭାବେ ଓଡିଶା ବିଧାନ ସଭା ସଚିବ ଦାଶରଥି ଶତପଥୀ, ବିଶିଷ୍ଟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବିଜୁ ଯୁବ କଲ୍ୟାଣ ବିଭାଗ ଅଧ୍ୟକ୍ଷ ବିଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କବି ସଞ୍ଜୟ କୁମାର ରଥ, କୋରୋ ପଞ୍ଚାୟତ ସରପଞ୍ଚ ତଅପୋଇ ମଲିକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଅପରାହ୍ନରେ ହେବାକୁ ଥିବା ଦ୍ୱିତୀୟ ଅଧିବେସନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଡଃ. ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି, ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟବକ୍ତା, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ସ୍ଥପତି ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ କୁମାର ଜେନା ସୂଚନା ଦେଇଛନ୍ତି ।


