ରାଜସ୍ୱଗ୍ରାମର ମାନ୍ୟତା ପାଇଁ ଦାବି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର କଅଁଳେଇବାଲିପାଳ ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାବେଳେ ଗାଁର ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି । ସ୍ୱାଧୀନତାର ୭୬ବର୍ଷ ପରେବି ଏମାନେ ଭୁମିହୀନ ଭାବେ ବସବାସ କରିଆସୁଛନ୍ତି । ଏମାନେ ହଦଗଡ ଜଳଭଣ୍ଡାର ନିର୍ମାଣବେଳେ ବିସ୍ଥାପିତ ହୋଇ କଅଁଳେଇ ବାଲିପାଳ ଗ୍ରାମରେ ରହି ଆସିବା ସହ ଏମାନେ ଜଂଗଲ ସମ୍ପଦ ୁପରେ ନିର୍ଭରଶୀଳ । ଜଂଗଲ ଅଧିକାର ଆଇନ ୨୦୦୬ ଆସିବାପରେ ମଧ୍ୟ ଏହି ଅଞ୍ଚଳର ଅଧିବାସୀ ମାନଙ୍କୁ ତାଙ୍କ ଅଧିକାରର ସ୍ୱୀକୃତି ମିଳିପାରୁ ନାହିଁ । ଏବେ ଗ୍ରାମବାସୀମାନେ ଜାତୀୟ ଆଦିବାସୀ କମିସନଙ୍କ ପାଖରେ ଫେରାଦ ହେବାପରେ ଆଜି ହାଟଡିହି ତହସିଲଦାର ରଶ୍ମିରଞ୍ଜନ ଦାସ, ରାଜସ୍ୱ ନିରୀକ୍ଷକ ସୌମ୍ୟା ବଳ କଅଁଳେଇବାଲିପାଳ ଗ୍ରାମରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଆର.ସି.ଡି.ସି ପକ୍ଷରୁ ଆୟୋଜିତ ଏହି ବୈଠକରେ ଆର.ସି.ଡି.ସି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାସ, ହଦଗଡ ବନପାଳ କେଦାର ପାତ୍ର, ପ୍ରମୁଖ ଯୋଗଦେଇ ଜଂଗଲ ଅଧିକାର ଆଇନ ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ ଗ୍ରାମର ଶତାଧିକ ଗ୍ରାମବାସୀ ଯୋଗଦେଇ ରାଜସ୍ୱ ଗ୍ରାମର ମାନ୍ୟତା ଦାବି ଦୋହରାଇବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରି ତହସିଲଦାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଆର.ସି.ଡି.ସି ଅନୁଷ୍ଠାନର ଆନନ୍ଦ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଗ୍ରାମବାସୀ ମାନଙ୍କର ଜଂଗଲ ପ୍ରୀତି ଯୋଗୁଁ ତିନି ତିନି ଥର ଜଂଗଲ ନିଆଁକୁ ଗ୍ରାମବାସୀ ମାନେ ଲିଭାଇବାରେ ସଫଳ ହେବାନେଇ ଆଲୋଚନା ହୋଇଥିଲା । ଶେଷରେ ସ୍ୱେଚ୍ଛାସେବୀ ନିତିମା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ