ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀଙ୍କ ନାଉଗାଁ ବ୍ଳକର ବନ୍ୟା ଅଂଚଳ ପରିଦର୍ଶନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବୁଧବାର ନାଉଗାଁ ବ୍ଳକଗ୍ରସ୍ତରେ ଆସି ବନ୍ୟା ଅଂଚଳ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ବଛାଳୋ ପଂଚାୟତର ବନ୍ୟା ପାଣିରେ ପ୍ରଭାବିତ ହୋଇଥିବା ପୋକାମୂଳ ଓ ବ୍ରାହ୍ମଣୀ ଗାଁକୁ ଯିବା ସହିତ ବନ୍ୟା ପ୍ରଭାବିତ ଲୋକମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଉକ୍ତ ପଂଚାୟତରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ଅବଗତ କରାଇଥିଲେ । ପରେ ପଂଚାୟତ ସମିତି କାର୍ଯ୍ୟାଳୟରେ ପହଂଚି ସଂକ୍ଷେପରେ ବନ୍ୟା ପ୍ରଭାବିତ ଅଂଚଳ ବିଷୟରେ ଆଲୋଚନା କରିଥିଲେ । ବ୍ଳକ ପ୍ରଶାସନ ପକ୍ଷରୁ ବିସ୍ଥାପିତ ପରିବାରକୁ ଯଥାଶୀଘ୍ର ପଲିଥିନ ଯୋଗାଇ ଦେବା ସହ ବନ୍ୟା ପାଣି ଛାଡିବା ପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବନ୍ୟା ଘେରରେ ରହିଥିବା ଗୃହପାଳିତ ପଶୁଙ୍କ ପାଇଁ ଗୋ ଖାଦ୍ୟ ଯୋଗାଇ ଦେବା ପାଇଁ ଗୁରୁତ୍ୱରୋପ କରିଥିଲେ । ଆଗକୁ ଲଘୁଚାପ ଜନିତ ବର୍ଷାର ସମ୍ଭାବନା ରହିଥିବା ବେଳେ ବନ୍ୟା ପାଣି ଆସିବାର ଆଶଙ୍କା ରହିଥିବାରୁ ନଦୀ ବନ୍ଧ ଉପରେ ନିଜର ରଖିବା ସହିତ ଆବଶ୍ୟକ ହେଲେ ତତଳିଆ ଅଂଚଳ ଲୋକଙ୍କୁ ବିସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କ ସମେତ ବିଧାୟକ ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଜଗତସିଂହପୁର ପ୍ରକଳ୍ପ ନିର୍ଦ୍ଦେଶକ ଡା. ରୁଦ୍ରନାରାୟଣ ଦାଶ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ପ୍ରତାପ ଶତପଥି, ଜଳ ନିକାସ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ହରେକୃଷ୍ଣ ବେହେରା, ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ,ଏବିଡିଓ ଦେବେନ୍ଦ୍ର ପ୍ରଧାନ, ନାଉଗାଁ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଧିକାରୀ ଡା.ରାଜା ଉଦୟଭାନୁ ରାଉତ, ବ୍ଲକ କନିଷ୍ଠ ଯନ୍ତ୍ରୀ ସାରଦା ପ୍ରସନ୍ନ ସ୍ୱାଇଁ ଆଦି ବନ୍ୟା ଅଂଚଳ ବୁଲି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ