ରାଜସ୍ୱ କାର୍ଯ୍ୟାଳୟ ଖୋଲିବାରେ ବିଳମ୍ବକୁ ନେଇ ଅସନ୍ତୋଷ
ହାଟଡ଼ିହି, (ସୌମ୍ୟରଞନ) :କେନ୍ଦୁଝର ଜିଲ୍ଲା ମରୈଗାଁ ରାଜସ୍ୱ କାର୍ଯ୍ୟାଳୟ ଖୋଲିବାରେ ବିଳମ୍ବକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ତହସିଲ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଆଦିକନ୍ଦ ସାହୁ, ଦିପକ କୁମାର ସେଠୀ, ବିଜୟ କୁମାର ଜେନା, ହୃଦାନନ୍ଦ ମୁଦୁଲି, ଅନିଲ କୁଅଁର, ସଞ୍ଜିତ ସାଙ୍କ ସମେତ ଅନେକ ଲୋକ ସକାଳ ୧୦ଟାରୁ ଦିନ ୧୧ଟା ୧୫ପର୍ଯ୍ୟନ୍ତ ଅପେକ୍ଷା କରି ବାହାରେ ବସିଥିବାବେଳେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯାଇ ନଥିଲା । ଫଳରେ ଲୋକମାନେ ୧୨ଟା ପର୍ଯ୍ୟନ୍ତ ବସିବସି ଘରକୁ ପଳାଇ ଆସିଥିବା କହିଛନ୍ତି । ସରକାର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନେ କିପରି ଉପଯୁକ୍ତ ସମୟରେ କାର୍ଯ୍ୟାଳୟ ଆସିବେ ଓ ଯିବେ ସେଥିପାଇଁ ଇ ଉପସ୍ଥାନ ଲାଗୁ କରୁଥିବାବେଳେ ରାଜସ୍ୱ ବିଭାଗର ଏହି ଅଫିସ ଗୁଡିକ ପାଇଁ ସେପରି କୌଣସି ନିୟମ ଲାଗୁ କରାଯାଇ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି । ଏବେ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟପାଇଁ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରୁଥିବାବେଳେ ତହସିଲ କର୍ତ୍ତୁପକ୍ଷ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ହୋଇପଡିଛି ।


