ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଡାକ ଲଫାଫା ଉନ୍ମୋଚିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଧୁନିକ ଓଡିଶାର ନିର୍ମାତା ତଥା ରରରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ତରଫରୁ ଏକ ଡାକ ଲଫାଫା ଗୁରୁବାର ଛତ୍ରପୁର ଡାକ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ପୂଜ୍ୟପୂଜା ସାହିତ୍ୟ ସଂସଦ ସଂପାଦକ ମହେଶ୍ବର ବରାଡଙ୍କ ଅନୁରୋଧ ଓ ପ୍ରସ୍ତାବ ପ୍ରକାରେ ନିର୍ମିତ ଏହି ଡାକ ଲଫାଫା ସାରା ବିଶ୍ବରେ ରାଜା ସାହେବଙ୍କ ସମ୍ପର୍କିତ ତଥ୍ୟ ପ୍ରସାର ଓ ପ୍ରଚାର ହୋଇ ପାରିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ଅବଗତ କରାଇଥିଲେ । ଆଧୁନିକ ଓଡିଶା ନିର୍ମାଣ କ୍ଷେତ୍ରରେ ଦେଶ ସ୍ବାଧୀନତା ପୂର୍ବରୁ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ପାରଳା ମହାରାଜାଙ୍କ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଉଦ୍ୟମ ସମ୍ପର୍କରେ ଆଲୋକପାତ କରି ସାଂସଦ ଶ୍ରୀ ସାହୁ ଜଣାଇଥିଲେ ଯେ, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ତାଙ୍କ ବଦାନ୍ୟ ଖଲ୍ଲିକୋଟ ବିଦ୍ୟାଳୟ ଓ ମହା ବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲ୍ଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି ।ଲଫାଫା ଉନ୍ମୋଚିତ ଉତ୍ସବରେ ବ୍ରହ୍ମପୁର ଡାକ ବିଭାଗ ବରିଷ୍ଠ ସୁପରିଟେଣ୍ଡେଣ୍ଟ ତାରିଣୀ ଚରଣ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ରାଜା ମର୍ଦ୍ଦରାଜ ଦେଓଙ୍କ ଦାୟାଦ ତଥା ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ କାର୍ଯ୍ୟକାରି ସଭାପତି ଡଃ ସଙ୍କେତ ରାମାରାଓ, ଡଃ ପବିତ୍ର ସଙ୍କେତ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଜଙ୍ଗଲ ବିଭାଗୀୟ ଅଧିକାରୀ ଅମ୍ଳାନ ନାୟକ, ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା, ପୂଜ୍ୟପୂଜା ସାହିତ୍ୟ ସଂସଦ ସଂପାଦକ ତଥା ଡାକ ଲଫାଫା ପ୍ରସ୍ତୁତି ନିମନ୍ତେ ପ୍ରୟାସ କରିଥିବା ମହେଶ୍ବର ବରାଡ, ଡାକ ଲଫାଫା ଡିଜାଇନ୍ ପ୍ରସ୍ତୁତ କରିଥିବା ଡିଜାଇନର୍, କଳାକାର ଅଜିତ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ ।କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡିଭିଜନ୍ ଏମ୍.ଇ./ବି.ଇ. ଗୌରହରୀ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରି ଧନ୍ୟବାଦ ଉପସ୍ଥାପନ କରିଥିଲେ । ଡାକବିଭାଗୀୟ ସମସ୍ତ କର୍ମଚାରୀ, ଅଧିକାରୀ, ଛତ୍ରପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି ତଥା ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ