ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଜୟନ୍ତୀ ଉତ୍ସବ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଧୁନିକ ଓଡିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବର ସହକାରେ ପାଳନ କରାଯାଇଛି ।ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସହ ଅତିଥିମାନେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଥିଲେ । ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ କହିଥିଲେଯେ, ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ତାଙ୍କ ବଦାନ୍ୟ ଖଲ୍ଲିକୋଟ ବିଦ୍ୟାଳୟ ଓ ମହା ବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲ୍ଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି ।ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କଲେ । ୧୯୨୨ ମସିହାରେ ଗଞ୍ଜାମ ଜିଲ୍ଲା ବୋର୍ଡ ସଭାପତି ଭାବେ ମନୋନୀତ ହେଲେ । ୧୯୨୩ ମସିହାରେ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହେଲେ ଏବଂ ଅବହେଳିତ ଉତ୍କଳୀୟଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମନ ପ୍ରାଣ ଢାଳିଲେ । ଅଣ ଓଡିଆ ମାନେ ଓଡିଶାର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ବିଭିନ୍ନ ଷଡଯନ୍ତ୍ର କରିବା ହେତୁ ଓଡିଆ ମାନେ ବହୁ ଦୁଃଖ ଓ ନିର୍ଯାତନା ଭୋଗ କରୁଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ନିଜ ପିତା ସ୍ବର୍ଗତ ହରିହର ମର୍ଦ୍ଦରାଜ ଦେଓଙ୍କ ଦେଶ ମିଶ୍ରଣ ପାଇଁ ମହନୀୟ ଚେଷ୍ଟା ତଥା ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣର ଆବଶ୍ୟକତା, ଓଡିଆ ମାନଙ୍କ ଇଚ୍ଛା ଓ ଅଭିପ୍ସା ସମ୍ପର୍କରେ ଯୁକ୍ତିଯୁକ୍ତ ଲିଖିତ ଦାବୀ ଉପସ୍ଥାପନ କରିଥିଲେ । ୧୯୨୭ ମସିହାରେ ମହାତ୍ମା ଗାନ୍ଧୀ ସ୍ବରାଜ ଆନ୍ଦୋଳନ ପାଇଁ ଓଡିଶା ଗସ୍ତ ବେଳେ ରମ୍ଭା ରାଜ ପ୍ରାସାଦରେ ଆତିଥ୍ୟ ଗ୍ରହଣ କରିଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଡୋନେଲ କମିଟି ସୁପାରିଶ୍ ଅସମିଚୀନ ଓ ଅଟଲୀ ସବ୍ କମିଟିର ସୁପାରିଶ୍ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହନୀୟ, ଏଣୁ ଓଡିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ ପାଇଁ ଜନମାନସରେ ସଦା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ପରିଶେଷରେ ଛତ୍ରପୁର ପ୍ରେସ୍ କ୍ଲବ୍ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ