ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନଦୀ ସୁରକ୍ଷା ସମିତିର ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :ଭାରତୀୟ ଜନତା ପାର୍ଟି ନଦୀ ସୁରକ୍ଷା ସମିତି ବାଲେଶ୍ୱର ଶାଖା ପକ୍ଷରୁ ବେଆଇନ ନଦୀ ପାଣି ଓ ବାଲି ଉତ୍ତୋଳନ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ନଦୀ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ବାଲେଶ୍ୱର ଉପ-ଜିଲାପାଳଙ୍କୁ ସାକ୍ଷାତ ସହ ଜିଲାରେ ବିଭିନ୍ନ ନଦୀରେ ବୃଦ୍ଧି ପାଇଥିବା ବେଆଇନ ଜଳ ଓ ବାଲି ଉତ୍ତୋଳନ ସମ୍ପର୍କରେ ଅବଗତ କରିଥିଲେ । କେବଳ ବାଲେଶ୍ୱର ନୁହେଁ ସମଗ୍ର ରାଜ୍ୟରେ ଏହି ସ୍ଥିତି ଉପୁଜିଥିବା ସେମାନେ କହିଛନ୍ତି । ବିଶେଷ କରି ବିଭିନ୍ନ ଶିଳ୍ପାନୁଷ୍ଟାନ ମାନେ ବେଆଇନ ଭାବେ ମନଇଚ୍ଛା ନଦୀଜଳ ବ୍ୟବହାର କରୁଥିବା ବେଳେ ବ୍ୟବହୃତ ଦୂଷିତ ଜଳକୁ ବିଶୋଧନ ନ କରି ପୁଣି ନଦୀକୁ ଛାଡ଼ିବା ଦ୍ୱାରା ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି ବୋଲି ବିଜେପି କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଫଳରେ ସମ୍ପ୍ରତି ନଦୀଜଳ ପିଇବା ତ ଦୂରର କଥା ଏହା ସ୍ନାନ ଉପଯୋଗୀ ବି ହୋଇପାରୁ ନାହିଁ । ସେହିଭଳି ନଦୀରୁ ମାଫିଆମାନେ ସରକାରୀ ଦଳ ନେତାଙ୍କ ଛତ୍ରଛାୟାରେ ରହି ବେଆଇନ ଭାବେ ବାଲି ଉଠାଇ ଚାଲିବା ଫଳରେ ନଦୀର ସ୍ଥାନେ ସ୍ଥାନେ ଗଣ୍ଡ ସୃଷ୍ଟିହୋଇ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦର କାରଣ ହୋଇଛି । ସବୁଠାରୁ ବଡ଼କଥା ହେଲା ମାଫିଆମାନେ ମଡ଼ ମଡ଼ ହାଇୱା ଟ୍ରକରେ ଅନବରତ ବାଲି ବୋହିବା ଯୋଗୁଁ ନଦୀକୂଳ ଗାଁ’ ରାସ୍ତା ନଷ୍ଟ ହେଉଛି । ଏହାଦ୍ୱାରା ମରଣଯନ୍ତା ପାଲିଟିଥିବା ଗାଁ’ରାସ୍ତାରେ ପ୍ରତିଦିନ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ନଦୀଜଳ ଓ ବାଲିର ବେଆଇନ ଉତ୍ତୋଳନ ତଥା ଚାଲାଣ ରୋକିବା ଦିଗରେ ଉଚିତ ପଦକ୍ଷେପ ନିଆ ନଗଲେ ନଦୀସୁରକ୍ଷା ସମିତି ଶେଷରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସମିତିର ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ସେମାନେ ବାଲେଶ୍ୱର ଉପ-ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ନଦୀ ସୁରକ୍ଷା ସମିତିର ରାଜ୍ୟ ଆବାହକ ଅଜୟ କୁମାର ସାହୁ, ଜିଲା ସଂଯୋଜକ ମହେନ୍ଦ୍ର ନାଥ ଦାସ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ପର୍ଶୁରାମ ପରିଡ଼ା, ଚିତ୍ତରଞ୍ଜନ ପଣ୍ଡା, ଆଶିଷ କୁମା ଘୋଷ, ବେଣୁଧର ପରିଡ଼ା, ରାଜେଶ ମହାପାତ୍ର, ଗଙ୍ଗାଧର କମିଳା ପ୍ରମୁଖ ଉପସ୍ଥିତ ଥିଲେ ।