ରାଜ୍ୟପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସମାଜବାଦୀ ପାର୍ଟିର ସ୍ମାରକ ପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଗତ ୫ ବର୍ଷ ୨୦୧୮ରୁ ୨୦୨୨ ମସିହା ଭିତରେ ଦେଶରେ ସମୁଦାୟ ୫୩୭ଜଣ ହାଇକୋର୍ଟ ବିଚାରପତି ନିଯୁକ୍ତି ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଦଳିତଙ୍କ ସଂଖ୍ୟା ୧୫ ଯାହାକି ୨.୮ ଭାଗ, ଆଦିବାସୀ ବିଚାରପତିଙ୍କ ସଂଖ୍ୟା ୭ ଯାହାକି ୧.୩ ଭାଗ, ସଂଖ୍ୟାଲଘୁ ବିଚାରପତିଙ୍କ ସଂଖ୍ୟା ଯାହା ୨.୬ ଭାଗ, ଓବିସିଙ୍କ ସଂଖ୍ୟା ୫୭ ଯାହାକି ୧୧ ପ୍ରତିଶତ, ବାକି ୭୯ ଭାଗ ବିଚାରପତି ହେଉଛନ୍ତି ଉଚ୍ଚବର୍ଗର । ଏହା ଦେଶ ସମ୍ବିଧାନର ସାମାଜିକ ନ୍ୟାୟ ଓ ସମତା ପାଇଁ ଅନ୍ତରାୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଶୁକ୍ରବାର ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏକ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ୫୩୭ଜଣ ବିଚାରପତିଙ୍କ ମଧ୍ୟରୁ ୪୨୪ ଜଣ ହେଉଛନ୍ତି ଉଚ୍ଚବର୍ଗର । ତେଣୁ ଗରିବ, ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ନ୍ୟାୟ ପାଇବେ କେମିତି ବୋଲି ସମାଜବାଦୀ ପାର୍ଟି ପ୍ରଶ୍ନ କରିଛି । ତେଣୁ ସମ୍ବିଧାନର ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବାକୁ ହେଲେ ଏବଂ ଦେଶର ବିକାଶକୁ ଆଗେଇ ନେବାକୁ ହେଲେ ସଂଖ୍ୟାଧିକ ବର୍ଗଙ୍କର ବିଚାର ବିଭାଗରେ ସମାନୁପାତିକ ସଂରକ୍ଷଣ ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ।ପାର୍ଟିର ଏହି ସ୍ମାରକପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଆମେ ଯେତେବେଳେ ଲିଙ୍ଗଗତ ବୈଷମ୍ୟ କଥା ଉଲ୍ଲେଖ କରୁଛୁ, ଏହି ବୈଷମ୍ୟକୁ ଦୂର କରିବାକୁ ହେଲେ ୩୩ଭାଗ ମହିଳାଙ୍କୁ ମଧ୍ୟ ବିଚାରପତି ଭାବରେ ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିକୋର୍ଟରେ ସ୍ଥାନ ଦେବାକୁ ପଡ଼ିବ । ତାହା ନହେଲେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସମ୍ଭବ ହେବନାହିଁ । ତେଣୁ ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ ମାନ୍ୟବର ରାଷ୍ଟ୍ରପତି ଏହି ଅବହେଳିତ ବର୍ଗଙ୍କୁ ଉଚିତ ନ୍ୟାୟ ଦେବା ସହିତ ବିଚାର ବ୍ୟବସ୍ଥାରେ ସେମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।ପାର୍ଟିର ଏକ ୪ଜଣିଆ ପ୍ରତିନିଧି ଦଳ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ରାଜଭବନ ଯାଇ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଏହାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିବାକୁ ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ବିଗତ କିଛିଦିନ ତଳେ ଆଇନ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କାଉନସିଲ ବୈଠକରେ ବିଭାଗ ପକ୍ଷରୁ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ସ୍ମାରକ ପତ୍ରରେ ବିଚାରପତି ନିଯୁକ୍ତିରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ଶ୍ରେଣୀ ଅଧିକ ମାତ୍ରାରେ ନିଯୁକ୍ତି ପାଇପାରୁ ନାହାଁନ୍ତି ବୋଲି ଉଦ୍ବେଗ ପ୍ରକାଶ କରାଯାଇଛି । ହାଇକୋର୍ଟ ଓ ସୁପ୍ରିମକୋର୍ଟର କଲେଜିୟମ ସତ୍ତ୍ୱେ ବିଚାରପତି ନିଯୁକ୍ତିରେ ସେମାନେ ଆଜି ବି ଅବହେଳିତ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ପାର୍ଲାମେଣ୍ଟ ଗଭୀର ଭାବରେ ଚିନ୍ତା କରି ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ଏହି ପ୍ରତିନିଧି ଦଳରେ ଶ୍ରୀ ବେହେରାଙ୍କ ସମେତ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ ଓ ଯୁବ ଜନସଭାର ସଭାପତି ସୁବ୍ରତ ଲେଙ୍କା ପ୍ରମୁଖ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମାନ୍ୟବର ରାଜ୍ୟପାଳ ସ୍ମାରକ ପତ୍ରଟିକୁ ଗ୍ରହଣ କରି ଏହାକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରରେଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।