ରାଜ୍ୟପାଳଙ୍କ ସହ ଏନ୍ସିପି-କଂଗ୍ରେସ-ଶିବସେନାର ବୈଠକ ବାତିଲ
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଏନସିପି-କଂଗ୍ରେସ-ଶିବସେନାର ପ୍ରତିନିଧି ଦଳ ଶନିବାର ଅପରାହ୍ନ ୪ଟା ୩୦ରେ ଭେଟିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୌଣସି କାରଣରୁ ଏହା ଅଚାନକ ବାତିଲ ହୋଇଯାଇଛି । ରାଜଭବନ ସୂତ୍ରରୁ ମଧ୍ୟ ଏହି ବୈଠକ ବାତିଲ ହୋଇଥିବା ସଂପର୍କରେ ସୂଚନା ଦିଆଯାଇଛି । ରାଜ୍ୟର କୃଷି ସଙ୍କଟ ଏବଂ କୃଷକଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ସହିତ ଆଲୋଚନା କରିବାକୁ ତିନି ଦଳ ମିଳିତ ଭାବେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ତିନି ଦଳ ସରକାର ଗଠନ ପାଇଁ ମଧ୍ୟ ଦାବି ଉପସ୍ଥାପନ କରିବାକୁ ଯୋଜନା କରିଥିଲେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ସରକାର ଗଠନ ପାଇଁ ଆହୁରି କିଛି ଦିନ ଲାଗିଯିବ ବୋଲି ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାର ବୟାନ ଦେଇଥିବା ବେଳେ ଅନ୍ୟପକ୍ଷରେ ଶିବସେନା ତୁରନ୍ତ ସରକାର ଗଠନ ହେବା ଚାହୁଛି । ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆସନ୍ତାକାଲି (ରବିବାର) ସରକାର ଗଠନ ସଂକ୍ରାନ୍ତ ଘୋଷଣା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଆମେ ପରିସ୍ଥିତି ଉପରେ ସତର୍କ ନଜର ରଖିଛୁ ଏବଂ ଠିକ୍ ସମୟରେ ଦଳ ତା’ର ରଣନୀତି ଘୋଷଣା କରିବ ।


