ରାଜ୍ୟବ୍ୟାପୀ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତଃ ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୩ ତମ ଜୟନ୍ତୀ । ସ୍ୱର୍ଗତଃ ଦାସ ୧୮୮୭ ମସିହା ଅଗଷ୍ଟ ମାସ ୧୨ ତାରିଖରେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଗଣ୍ଡିବେଡ ନିକଟବର୍ତୀ ପାର୍ବତୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ପରେ ୧୯୩୭ରେ ଯେଉଁ ପ୍ରଥମ ଅଣକଂଗ୍ରେସ ସରକାର ଗଠିତ ହୋଇଥିଲା, ତାହାର ପ୍ରଥମ ବାଚସ୍ପତି ଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ତଥା ବାଲେଶ୍ୱରର ପ୍ରସିଦ୍ଧ ବ୍ୟକ୍ତି ସ୍ୱର୍ଗୀୟ ମୁକୁନ୍ଦ ପ୍ରସାଦ ଦାସ । ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ଭାରତର ଗଣତନ୍ତ୍ରରେ ଜନ ପ୍ରତିନିଧୀ ଓ ସାମାଜିକ ନେତୃତ୍ୱ’ ଶୀର୍ଷକ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେ ଆୟୋଜିତ ହୋଇଥିଲା । ମୁକୁନ୍ଦ ପ୍ରସାଦ ଦାସ ଜଣେ ଗାନ୍ଧିବାଦୀ ଲୋକ ଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂପୂର୍ଣ୍ଣ ସମାଜକୁ ସାଙ୍ଗରେ ନେଇ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟ ଅତିଥୀ ପୂର୍ବତନ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ କହିଥିଲେ । ଜନ ପ୍ରତିନିଧୀ ମାନେ ଜନତାଙ୍କ ପ୍ରତିନିଧୀ । ଯିଏ ଜନପ୍ରତିନିଧୀ ହେବ, ସେ ପ୍ରଥମେ ଜନତା ଓ ସମାଜକୁ ଜାଣିବା ଦରକାର । ପୂର୍ବରୁ ବିବେକାନନ୍ଦ, ମହାତ୍ମାଗାନ୍ଧୀଙ୍କ ସମେତ ବିଭିନ୍ନ ନେତୃତ୍ୱ ମାନେ ଦେଶର ସ୍ଥିତି ପରଖିବା ପାଇଁ ପାଦରେ ଚାଲି ଚାଲି ବୁଲୁଥିଲେ ଏବଂ ଲୋକଙ୍କ ସମସ୍ୟାକୁ ଶୁଣୁଥିଲେ । ଠିକ୍ ସେହିପରି ଆଗାମୀ ଦିନରେ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଥିବା ଆଜିର ଯୁବପିଢୀମାନେ ଲୋକଙ୍କର ପ୍ରତ୍ୟେକ ସମସ୍ୟାକୁ ଶୁଣିବା ଏବଂ ତାହାର ସମାଧାନ ଦିଗରେ କାର୍ଯ୍ୟ କରିବା ଦରକାର । ଜନପ୍ରତିନିଧୀ ଲୋକଙ୍କ ସ୍ୱଭାବ ଏବଂ ଆବଶ୍ୟକତାକୁ ଜାଣିବା ଦରକାର । କାହାକୁ ମିଥ୍ୟା ପ୍ରତିଶୃତି ନଦେଇ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ନିଜ ଅଂଚଳର ଉନ୍ନତି କଥା ଚିନ୍ତା କରିବା ଦରକାର । ଦେଶକୁ ବିକାଶ ପଥରେ ନେବାକୁ ହେଲେ ଜନପ୍ରତିନିଧୀମାନେ ଜନତାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଦରକାର । ଜନପ୍ରତିନିଧୀ ନିଜକୁ ଆକଳନ କରିବା ସହ ସମାଜ ସହ ଯୋଡିହୋଇ ରହିବାର ଆବଶ୍ୟକତା ରହିଛି । ସମାଜର ପ୍ରତିଟି ସମସ୍ୟାକୁ ଜନପ୍ରତିନିଧୀମାନେ ପଂଚାୟତ ସଭା, ବିଧାନସଭା କିମ୍ବା ଲୋକସଭାରେ ଉଠାଇ ଲୋକମତ ଅନୁଯାୟୀ ସମାଜ ହିତରେ କାର୍ଯ୍ୟ କରିବାକୁ ଶ୍ରୀମତୀ ମହାଜନ ପରାମର୍ଶ ଦେଇଥିଲେ । ଓଡିଶାର ପ୍ରଥମ ବାଚସ୍ପତି ଭାବେ ମୁକୁନ୍ଦ ବାବୁ ଯେଉଁ ଦିଗଦର୍ଶନ ଦେଇଥିଲେ, ତାହା ଅନ୍ୟ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା । ମହାତ୍ମାଗାନ୍ଧୀଙ୍କ ଡାକରାରେ ସେ ଆଇନ ବ୍ୟବସାୟ ବର୍ଜନ କରି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ତାଙ୍କ ପତ୍ନୀ ଜାହ୍ନବୀ ଦେବୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୩୨ ମସିହାରେ ବାଲେଶ୍ୱରେ ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ ଓଡିଶାର ପ୍ରଥମ ନାରୀ ସମ୍ମିଳନୀ ହୋଇଥିଲା, ସେଥିରେ ଜାହ୍ନବୀ ଦେବୀଙ୍କ ସମେତ ନାରୀ କବି କୁନ୍ତଳା କୁମାରୀ ସାବତ, ନାରୀ ନେତ୍ରୀ ଓ ଗାନ୍ଧିଜୀଙ୍କ ଶିଷ୍ୟା ପୁରୁବାଇ, ସାନ ଭଉଣୀ କୋକିଳା ଦେବୀ ଓ ସାହିତ୍ୟିକା ସାରଳା ଦେବୀ ଯୋଗ ଦେଇ ନାରୀମାନଙ୍କ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନ ସକାଶେ ଜାଗରଣ ସୃଷ୍ଟି କରିଥିଲେ । ପ୍ରଥମ ବାଚସ୍ପତିଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିଟିଏ ଭୁବନେଶ୍ୱର ବିଧାନସଭା ପରିସରରେ ନିର୍ମିିତ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି । ସ୍ୱର୍ଗତଃ ଦାସ ଜଣେ ଜାତୀୟବାଦୀ, ସ୍ୱାଧୀନତା ପ୍ରେମୀ, ହିତାକାଂକ୍ଷୀ ଓ ଉଦାରପନ୍ଥୀ ଲୋକ ଥିଲେ । ମୁକୁନ୍ଦ ପ୍ରସାଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବପିଢୀମାନେ କାର୍ଯ୍ୟ କରିବା ଦରକାରବୋଲି ସ୍ୱର୍ଗତଃ ମୁକୁନ୍ଦ ପ୍ରସାଦ ଦାସଙ୍କ ଅଣନାତି ତଥା ଯୁବନେତା ଠାକୁର ରଂଜିତ ଦାସ କହିଛନ୍ତି । ଏହି ୱେବିନାର କାର୍ଯ୍ୟକ୍ରମରେ ଡ.କମାଳକାନ୍ତ ପାଢୀ ପରିୟ ପ୍ରଦାନ କରିଥିଲେ ଏବଂ ଡ. ଉମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଦେଇଥିଲେ । ସମାଜର ନେତୃତ୍ୱ ନେଉଥିବା ଜନପ୍ରତିନିଧୀ ଏବଂ ସମାଜର ନେତୃତ୍ୱ ନେବାକୁ ଆଶା ରଖିଥିବା ଯୁବପିଢୀମାନେ ଏହି ୱେବିନାରରେ ଯୋଗ ଦେଇଥିଲେ । ଜନ୍ମ ଜୟନ୍ତୀ ଅବସରରେ ମୁକୁନ୍ଦ ପ୍ରସାଦ ଫାଉଣ୍ଡେସନ ପକ୍ଷରୁ ରାଜ୍ୟବ୍ୟାପୀ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ସାମାଜିକ ସଙ୍ଗଠନ, ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ପରିବେଶବିତ୍ ଏବଂ ବିଶେଷ କରି ମୁକୁନ୍ଦ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ବୃକ୍ଷରୋପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ