ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ କରୋନା ଆକ୍ରାନ୍ତ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି । ୫ ଜଣଙ୍କ ମଧ୍ୟରେ ୪ ଜଣ ଭୁବନେଶ୍ବରର ରହିଥିବା ବେଳେ ଜଣେ ବ୍ୟକ୍ତି ଯାଜପୁରର ରହିଛନ୍ତି । ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ ୩ ଜଣ ଏବଂ ଝାରପଡାରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡିଛି । ଝାରପଡା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୫୦ ବର୍ଷ ବୋଲି ଜଣାପଡିଛି । ସେ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିପରି ବମିଖାଲର ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ ୫୬୪ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ ଜଣ ପଜିଟିଭ୍ ବାହାରିଥିବା ଜଣାପଡିଛି ।