ରାଜ୍ୟରେ ଆଳୁ ସଙ୍କଟ, ୟୁପି ଏକ ମାତ୍ର ବିକଳ୍ପ କହିଲେ ବ୍ୟବସାୟୀ

କଟକ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ପୁଣି ଦେଖା ଦେଇଛି ଆଳୁ ସମସ୍ୟା । ଓଡିଶାକୁ ଆଳୁ ନପଠାଇବା ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି ।ଯାହାଫଳରେ ଓଡ଼ିଶାର ୨୦୦ଟି ଗାଡି ଅଧା ବାଟରେ ଅଟକି ରହିଛି । ତେବେ ଲୁଚିଛପି ପ୍ରାୟ ୩ଟି ଆଳୁ ଗାଡି କଟକ ଆସିଛି । ସେପଟେ ରାଜ୍ୟରେ କୌଣସି ଷ୍ଟୋରରେ ଆଳୁ ମହଜୁତ ନଥିବା କହିଛନ୍ତି ବ୍ୟବସାୟୀ । ଏନେଇ ଛତ୍ର ବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,”ଯେଉଁ ଷ୍ଟୋରରେ ଆଳୁ ମହଜୁତ ରହିଥିଲା ତାହା ଶେଷ ହେବାକୁ ବସିଲାଣି । ଫଳରେ ଆଳୁ ଗାଡି ନଆସିବା ଯୋଗୁଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଆଳୁ ସମସ୍ୟା ଦୂର କରିବା ପାଇଁ ଗୋଟିଏ ମାତ୍ର ବିକଳ୍ପ ଯାହାକି ୟୁପି ଆଳୁ । ୟୁପିରୁ ଯଦି ଆଳୁ ଆସିବ, ତେବେ ଆଳୁ ସମସ୍ୟାର ସମାଧାନ ହେବ । ରାଜ୍ୟ ସରକାର ୟୁପି ସରକାରଙ୍କ ସହ କଥା ହୋଇ ଏହି ସମସ୍ୟାର ସମାଧାନ କରନ୍ତୁ । ଗତଥର ଏହି ଆଳୁ ସମସ୍ୟା ପାଇଁ ରାଜ୍ୟ ସରକାର ୟୁପିରୁ ଆଳୁ ଆଣିଥିଲେ । ଆଳୁ ସଙ୍କଟ ଦୂର ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି,”ବ୍ୟବସାୟୀ ମାନେ ୟୁପିରୁ ଆଳୁ ଆଣିବା ସମ୍ଭବ ପର ନୁହେଁ । ୟୁପିର ଆଳୁ ଭଲ ମାତ୍ର ଏତେ ଦୂରରୁ ଆଳୁ ଆଣିଲେ ଏଠାରେ କିଲୋପ୍ରତି ୨୮ ରୁ ୩୦ ଟଙ୍କା ପଡିବ । ଜଣେ ରିଟେଲର ଯଦି ନେଇ ବିକ୍ରି କରିବ ତେବେ ଏହାର ଦର ୩୫ ରୁ ୪୦ ଟଙ୍କା ହୋଇଯିବ।ସେହିପରି ୟୁପି ଆଳୁ ଯଦି ବ୍ୟବସାୟୀ ମାନେ ଆଣିବେ ଏବଂ ସେହି ସମୟରେ ବେଙ୍ଗଲ ଯଦି ଆଳୁ ଛାଡି ଦେବ, ତେବେ ବ୍ୟବସାୟୀ ମାନଙ୍କର କ୍ଷତି ହେବ ।” ସେ ଏହା ମଧ୍ୟ କହିଛନ୍ତି,”ବର୍ତ୍ତମାନ ହୋଲ ସେଲରେ ଆଳୁ ଦର ୩୧ ରୁ ୩୨ ଟଙ୍କା ବିକ୍ରି ହେଉଛି । ଖୁଚୁରା ବ୍ୟବସାୟୀ ମାନେ ଏହାକୁ ୩୮ ରୁ ୪୦ ଟଙ୍କା କିଲୋ ପ୍ରତି ଦରରେ ବିକ୍ରି କରୁଛନ୍ତି । ଆଳୁ ଆସିବା ଯଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ, ତେବେ ଆଳୁ ସଙ୍କଟ ଦେଖାଯିବ । ଛତ୍ରବଜାର ପରିବା ମଣ୍ଡିକୁ ପ୍ରତିଦିନ ୬ ରୁ ୮ ଟି ଆଳୁ ଗାଡି ଆସିଥାଏ । ମାତ୍ର ଏବେ ଲୁଚାଛପାରେ ୩ଟି ଆଳୁଗାଡି ବଜାରକୁ ଆସୁଛି । ସେହିପରି ଅମଳ ଆଳୁ ଆସିବାକୁ ଆହୁରି ଗୋଟିଏ ମାସ ଲାଗିଯିବ । ଯେତେ ଶୀଘ୍ର ୟୁପିରୁ ଆଳୁ ଆସିବ ଆଳୁ ସଙ୍କଟ ଦୂର ହେବ ସେତେ ଶୀଘ୍ର ।” ସାଧାରଣ ଲୋକଟିଏ ଆଳୁ ଖାଇବା ସାତସପନ ହୋଇଯିବ । ଦର ତ ଯାହା ପ୍ରଭାବ ପକାଉଛି, ତାହାରି ମଧ୍ୟରେ ବଜାରରେ ଆଳୁ ଉଭାନ ହୋଇଗଲାଣି । କେଉଁଠି ଆଳୁ ଚଢା ଦରରେ ବିକ୍ରୟ ହେଉଛି ତ ଆଉ କେଉଁଠି ଆଳୁର ଅଭାବ କହି ଗ୍ରାହକଙ୍କୁ ଲୁଟୁଛନ୍ତି ବ୍ୟବସାୟୀ । ଯାହା ଏବେ ରାଜ୍ୟରେ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ସେପଟେ କେବେ ସୁଧୁରିବ ଆଳୁ ସମସ୍ୟା ବୋଲି ଖାଉଟି ପ୍ରଶ୍ନ କରିଛନ୍ତି । ସାଧାରଣ ଗରିବ ଲୋକଟିଏ ପାଇଁ କାହିଁକି ବରଂ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏବେ ଆଳୁ ଏକ ବଡ଼ ସମସ୍ୟା ଭାବ ହୋଇଛି । ପ୍ରତ୍ୟେକ ଖାଦ୍ୟ ଆଳୁ ବିନା ଭଲ ଲାଗେ ନାହିଁ । ଆଳୁର ଏଭଳି ସମସ୍ୟା ଯାହାକି ସମସ୍ତଙ୍କ ବଜେଟକୁ ଦୋହଲାଇ ଦେଇଛି । ଆଳୁ ଗାଡି ନଆସିବା ଯୋଗୁଁ ବଜାରରେ ଆଳୁ ଅଭାବ ଦେଖା ଦେଇଛି । କଟକ ଛତ୍ର ବଜାରରେ କାଁଭାଁ ଆଳୁ ବିକ୍ରି ହେଉଥିବାରୁ ଦର ୪୫ ରୁ ୫୦ରେ କିଲୋପ୍ରତି ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢୁଛି । କଟକ ଛତ୍ରବଜାର ଯେଉଁଠି ପ୍ରତ୍ୟେକ ଦିନ ୧୫ ରୁ ୨୦ଟି ଆଳୁ ଗାଡ଼ି ଆସି ଲାଗେ ହେଲେ ଏବେ ଗୋଟେ ୨ଟି ଗାଡ଼ି ଆସୁଛି । ଯାହା ଫଳରେ ଆଳୁ ଦର ଆକାଶ ଛୁଆଁ ବୃଦ୍ଧି ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ