ରାଜ୍ୟରେ କମୁଛି ବର୍ଷା ପରିମାଣ
ଭୁବନେଶ୍ବର, (ୱାଇଏନ୍ଏସ୍) : ରାଜ୍ୟରେ ମୌସୁମୀ ବର୍ଷା କ୍ରମଶଃ ଦୁର୍ବଳ ହେଉଥିବା ଯୋଗୁଁ ବର୍ଷାର ପରିମାଣ ମଧ୍ୟ କମିବାରେ ଲାଗିଛି, ଯାହା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି । ଜୁନ୍ ଓ ଜୁଲାଇର ଅଭାବୀ ବର୍ଷା ପରେ ଅଗଷ୍ଟ ମାସରେ ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଉତ୍କଟ ସ୍ଥିତି ଉପୁଜିଛି। ଭଦ୍ରକ, ଯାଜପୁର, ଗଜପତି ଓ ବଲାଙ୍ଗୀରରେ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆସନ୍ତା ୧୪ ତାରିଖ ଆଡ଼କୁ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। କିନ୍ତୁ ଏହାଦ୍ବାରା ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ । ଅଗଷ୍ଟ ୧୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। କିନ୍ତୁ ଏହାର ରୂପରେଖ ନେଇ ମଡେଲମାନଙ୍କ ଭିତରେ ସହମତି ନାହିଁ। କିଛି ମଡେଲ ଅନୁସାରେ, ଏହା ୧୬ ତାରିଖ ବେଳକୁ ଅସଂଗଠିତ ହେବ ଓ ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ଥିତ ରହିବ। ଅନ୍ୟ ମଡେଲ ଅନୁସାରେ, ଏହା ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବିଶାଖାପାଟଣା ନିକଟ ଉପକୂଳ ଦେଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡ଼କୁ ଯିବ।