ରାଜ୍ୟରେ ପର୍ଯ୍ୟାପ୍ତ ପୁଞ୍ଜି ବିନିଯୋଗ ଓ ଶିଳ୍ପ ସୃଷ୍ଟିର ଗୋଲାପି ଚିତ୍ର ଦେଖାଇଛନ୍ତି ସରକାର : କଂଗ୍ରେସ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟ ସରକାର ୨୦୧୬ରୁ ମେକଇନ ଓଡ଼ିଶା କନକ୍ଲେଭ ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ରାଜ୍ୟକୁ ପୁଞ୍ଜି ଆଣିବା ପୁଞ୍ଜି ବିନିଯୋଗର ପର୍ଯ୍ୟପ୍ତ ସୃଷ୍ଟିକରିବା ମୁଳ ଉଦ୍ଦେଶ୍ୟ ଥିଲା ବୋଲି ସରକାର କହିଥିଲେ । କେମିକାଲ, ପେଟ୍ରୋକେମିକାଲ, ଆଇନସ୍ଲିଆରି, ସୂତା ଓ ବସ୍ତ୍ର କାରଖାନା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଶିଳ୍ପ ଏବଂ ବିଦ୍ୟୁତ ସଂରଞ୍ଜାମ ଆଦି କ୍ଷେତ୍ରରେ ଲାଭ ହେବ ବୋଲି କହିଥିଲେ ।ଏହା ମଧ୍ୟରେ ମେକଇନ କନକ୍ଲେଭର ତୃତୀୟ ସଂସ୍କରଣ ସମାପ୍ତି ହୋଇଯାଇଛି । ପ୍ରଥମର ସଂସ୍କରଣରେ ୨ଲକ୍ଷ କୋଟିି ଓ ଦ୍ୱିତୀୟ ସଂସ୍କରଣରେ ୪ଲକ୍ଷ ୫୧୯ କୋଟି ଟଙ୍କାର ପୁଞ୍ଜିବିନିଯୋଗ ଏବଂ ତୃତୀୟ ସଂସ୍କରଣେରେ ପାଖାପାଖି ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାର କଥା କୁହାଯାଇଥିଲା । ତେଣୁ ସମୁଦାୟ ୮ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ରାଜ୍ୟ ସରକାର ପାଖାପାଖି ୯ଲକ୍ଷ ସିଧାସଳଖ ନିଯୁକ୍ତି ଓ ତଦ୍ୱାରା ବହୁ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ବୋଲି କୁହାଯାଇଥିଲା ।ମାତ୍ର ଏହାସବୁ କାଗଜ କଲମରେ ରହିଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଶୁକ୍ରବାର ପ୍ରଦେଶ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ବିଧାକୟ ତଥା ମୁଖପାତ୍ର ସୁରେଶ କୁମାର ରାଉତରାୟ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ଏହାକୁ ଦୃଢ଼ଭାବରେ ସମାଲୋଚନା କରିଥିଲେ ।
ରାଜ୍ୟରେ ୪୩ଲକ୍ଷରୁ ଅଧିକ ଯୁବକଯୁବତୀ ୨୦୨୧ ମସିହା ମେ ମାସ ଶେଷସୁଦ୍ଧା ବେରୋଜଗାର ହୋଇ ବୁଲୁଛନ୍ତି ।୨୦୧୫ ମସିହାରେ ଗ୍ରାମାଂଚଳରେ ରୁରାଲ ବିଜିନେସ ହାଉସିଂ ସେଂଟର ହେବ ବୋଲି କୁହାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କେତୋଟି ବିପିଓ ହୋଇଛି ଏବଂ ଏଥିରେ କେତେ ନିଯୁକ୍ତି ହୋଇଛନ୍ତି । ୨୦୧୭ ମସିହାରେ ୧୦୦ ଷ୍ଟାଟଅଫ କମ୍ପାନୀ ୫ ବର୍ଷ ମଧ୍ୟରେ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ଏବଂ ୨୦୨୦ ମସିହା ଭିତରେ ଷ୍ଟାଟଅଫ ହବ କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଆଜି ସୁଦ୍ଧା କେତେଟି ଷ୍ଟାଟଅଫ କମ୍ପାନୀ ହୋଇଛି । ଖାଦ୍ୟ ପ୍ରକ୍ରିୟା କରଣ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓଡ଼ିଶାରେ ସୃଷ୍ଟି କରିବା ପାଇଁ ୨୦୧୬ ମସିହାରୁ ନିଷ୍ପତି ନେଇ ମେଗାଫୁଡପାର୍କ ରାଜ୍ୟରେ ବିଭିନ୍ନ କ୍ଲଷ୍ଟରେ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଆଜି ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଖାଦ୍ୟପ୍ରକ୍ରିୟା ଶିଳ୍ପ ହୋଇଛି ଏବଂ କେତେ ନିଯୁକ୍ତି ପାଇଛନ୍ତି । ଓଡ଼ିଶାରେ ସୂତା ଓ ବସ୍ତ୍ର କାରଖାନା ତଥା ଔଷଧ କାରଖାନା ପ୍ରତିଷ୍ଠା କରିବା ପାଇଁ କ୍ଲଷ୍ଟର ଘୋଷଣା କରାଗଲା । ସୂତା ଓ ବସ୍ତ୍ର କାରଖାନା ପାଇଁ ଧାମନଗର, ଭଦ୍ରକ, ଛତାବର, ଚୌଦ୍ୱାର କେତୋଟି ସୂତା ଓ ବସ୍ତ୍ର କାରଖାନା ହେଲାଣି ନା ଏହାସବୁ କେବଳ ଧୂଆଁବାଣ ଥିଲା । ଓଡ଼ିଶାରେ ବେରୋଜଗାରୀଙ୍କ ସଂଖ୍ୟା ୨୦୨୦-୨୧ ରେ ୩୯.୬%, ୨୦୧୮-୧୯ ରେ ୧୯.୪%, ୨୦୧୯-୨୦ ରେ ୩୩.୪% ଯଦି ଏତେ ପୁଞ୍ଜି ବିନିଯୋଗ ହୋଇଛି ଏବଂ ଏତେସବୁ ଶିଳ୍ପ ସୃଷ୍ଟି ହୋଇଛି ତାହାଲେ ନିଯୁକ୍ତି କାହିଁ । ୨୦୦୦ ମସିହା ପରେ ପରେ ରାଜ୍ୟକୁ ଗୋଟିଏ ମଧ୍ୟ ସଫ୍ଟୱେର କମ୍ପାନୀ ଆସିନାହିଁ । ଓଡ଼ିଶା ସରକାର ରାଜ୍ୟର ପୁଞ୍ଜିବିନିଯୋଗ ଓ ଶିଳ୍ପସୃଷ୍ଟିର ଯେଉଁ ଗୋଲାପି ଚିତ୍ର ଦେଖାଉଛନ୍ତି ତାହା କେବଳ କାଗଜ କଲମରେ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଏବଂ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।