ରାଜ୍ୟରେ ପହଞ୍ଚିଲା କରୋନା ଔଷଧ ‘ରେମଡେସିଭିର୍’
ଭୁବନେଶ୍ୱର: ରାଜ୍ୟରେ ପହଞ୍ଚିଛି କରୋନା ଔଷଧ ‘ରେମଡେସିଭିର୍’। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଔଷଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ ବୋଲି ସେ କହିଛନ୍ତି। ତାଙ୍କ ସୂଚନାନୁସାରେ, ହାଇଦ୍ରାବାଦ ସ୍ଥିତ ହେଟେରୋ ହେଲଥ କେୟାର ଲିମିଟେଡର କୋଭିଫୋର, କରୋନା ଔଷଧ ରେମଡେସିଭିରର ଜେନେରିକ ସଂସ୍କରଣ ଓଡ଼ିଶାରେ ପହଞ୍ଚିଛି। ଏହି ଔଷଧ ଶହେ ମିଲିଗ୍ରାମ୍ ଭିଆଲରେ (ଇଞ୍ଜେକ୍ସନ ଯୋଗ୍ୟ) ଉପଲବ୍ଧ । ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ତତ୍ବାବଧାନରେ ଏହା ଏକ ଡାକ୍ତରଖାନାରେ, ଗୁରୁତର ଚିକିତ୍ସା ସେଟିଂରେ ଦିଆଯିବା ଆବଶ୍ୟକ ବୋଲି କମ୍ପାନି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ଔଷଧ ପାଇଁ ଭିଆଲ ପିଛା ସର୍ବାଧିକ ଖୁଚୁରା ମୂଲ୍ୟ ୫,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଫାର୍ମା କମ୍ପାନି ସିପ୍ଲା ପକ୍ଷରୁ କୁହାଯାଇଛି ଯେ ଏହାର ରେମଡେସିଭିରର ଜେନେରିକ୍ ଭର୍ସନ ପ୍ରତି ଭିଆଲ୍ ୫ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ।