ରାଜ୍ୟରେ ବଢିଚାଲିଥିବା ଗଣଦୁଷ୍କର୍ମର କାରଣ ଓ ନିରାକରଣ
ସୁବାସ କୁମାର ତାରଣିଆଁ
ବହୁ ବର୍ଷ ପୂର୍ବେ ମାନବ ସମାଜ ବଣ ଜଙ୍ଗଲରେ ପଶୁମାନଙ୍କ ଭଳି ବିବସ୍ତ୍ର ହୋଇ ବସବାସ କରୁଥିଲା, ଜଙ୍ଗଲର ଫଳମୂଳ ଖାଇ ଭୋକ ମେଣ୍ଟାଉଥିଲା, ଜଙ୍ଗଲର ପଶୁ ପକ୍ଷୀଙ୍କୁ ମାରି, ପୋଡ଼ି ତାର ମାଂସ ଖାଉଥିଲା ଓ ଗଛମୂଳରେ ଆଶ୍ରୟ ନେଉଥିଲା । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଖଣ୍ଡେ ପଥରକୁ ଆଉ ଖଣ୍ଡେ ପଥରରେ ଘସି ନିଆଁ ସୃଷ୍ଟି କରି ଗଛର ପତ୍ର ଓ ଡ଼ାଳକୁ ପୋଡ଼ି ଉତ୍ତାପ ପାଉଥିଲା । କାଳକ୍ରମେ ମାନବ ସମାଜର ଉନ୍ନତି ଘଟିବା ସହିତ ବଣ ଜଙ୍ଗଲ ବଦଳରେ ଗ୍ରାମାଞ୍ଚଳ ଓ ସହରମାନଙ୍କରେ ଜନବସତି ଗଢି ଉଠିଲା । ଲୋକମାନେ ସଚେତନ ହେଲେ, ରହିବା ପାଇଁ ବାସଗୃହ ତିଆରି କଲେ, ଲଜ୍ଜା ନିବାରଣ କରିବା ପାଇଁ ବସ୍ତ୍ର ପରିଧାନ କଲେ ଓ ଖାଇବା ପାଇଁ ରୋଷେଇ ଶିଖିବା ସହିତ ଧୀରେ ଧୀରେ ବିଭିନ୍ନ ଶସ୍ୟ, ଫଳ ଓ ପନିପରିବା ଚାଷ କରିବା ଶିଖିଲେ ଓ ସେମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶରେ ପରିବର୍ତ୍ତନ ଘଟିଲା । ଫଳରେ ମାନବ ସମାଜ ଏକ ଶ୍ରେଷ୍ଠ ସାମାଜିକ ପ୍ରାଣୀର ମାନ୍ୟତା ପାଇଲା ଏବଂ ମାନବ ସମାଜ ଦୁନିଆର ଭଲମନ୍ଦ ବିଷୟରେ ଜାଣିବା ସହିତ ନିଜେ ଧୀରେ ଧୀରେ ଶିକ୍ଷିତ ହେଲା ସତ କିନ୍ତୁ ବିଭିନ୍ନ ଅପରାଧିକ ମାମଲା ଯଥା ଚୋରୀ, ଡ଼କାୟତି, ରାହାଜାନୀ, ହତ୍ୟା, ବଳାତ୍କାର ଓ ଗଣଦୁଷ୍କର୍ମ ଭଳି ଅସାମଜିକ କାର୍ଯ୍ୟରେ ଜଡିତ ରହିଲା । ବର୍ତ୍ତମାନ ରାଜ୍ୟରେ ବଢି ଚାଲିଥିବା ଗଣଦୁଷ୍କର୍ମ ଅତି ଉତ୍କଟ ରୂପ ଧାରଣ କରିଛି ଯାହା ଅତି ଲଜ୍ଜା ଓ ନିନ୍ଦନୀୟ ଘଟଣା । ସମ୍ବାଦପତ୍ର ପୃଷ୍ଠା ଲେଉଟାଇଲେ ପ୍ରତିଦିନ କେଉଁଠି ନା କେଉଁଠି ବଳାତ୍କାର ଓ ଗଣଦୁଷ୍କର୍ମ ଘଟୁଛି ଯାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହେବା ସହିତ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହା ଫଳରେ ଅନେକ ଯୁବତୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉଥିବା ବେଳେ ବହୁ ମହିଳା ଦୁଷ୍କର୍ମର ଶିକାର ହୋଇ ପରିବାରରୁ ବାସନ୍ଦ ହେଉଛନ୍ତି । ୧୯୮୦ ମସିହାରେ ବହୁ ଚର୍ଚ୍ଚିତ ଛବିରାଣୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସେତେବେଳେ ଓଡ଼ିଶାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ଓ ସେହି କାହାଣିକୁ ନେଇ ଅନେକ ଧାରାବାହିକ, ଓ ଯାତ୍ରା ମଧ୍ୟ ତିଆରି ହୋଇଥିଲା । ସେହିପରି ୧୯୯୯ ମସିହାରେ ଅଞ୍ଜନା ମିଶ୍ର ଦୁଷ୍କର୍ମ ଘଟଣା ସେହି ସମୟରେ ରାଜ୍ୟ ରାଜନୀତିରେ ଏକ ଝଡ଼ ସୃଷ୍ଟି କରିଥିଲା । ଏବେ କିଛି ବର୍ଷ ମଧ୍ୟରେ ପିପିଲିର ବେବିନା, ରାୟଗଡ଼ାର ଇତିଶ୍ରୀ, ପୁରୀର ମାଧବିଲତା, କୁନ୍ଦୁଲିର ସୁସ୍ମିତା, ଦିଲ୍ଲୀର ନିର୍ଭୟା, ହାଇଦ୍ରାବାଦ ଡ଼ାକ୍ତରାଣୀ ପ୍ରୟଙ୍କା ରେଡ଼ିଙ୍କ ଭଳି ଅନେକ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଚାଲିଥିଲା ବେଳେ ଦେଶ ତଥା ରାଜ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି । ଆହୁରି ମଧ୍ୟ ଜଣାପଡ଼ିଛି ଯେ ଓଡ଼ିଶା ସମେତ ସାରା ଦେଶରେ ବହୁ ଗଣଦୁଷ୍କର୍ମ ଘଟଣା ଘଟୁଥିଲେ ମଧ୍ୟ ସେଥିମଧ୍ୟରୁ କେତେକ ଘଟଣା ଲୋକଲଜ୍ଜା ଭୟରେ ପ୍ରଘଟ ହେଉନଥିଲା ବେଳେ ଅନେକ ଘଟଣାକୁ ପ୍ରଭାବଶାଳୀ ରାଜନେତାଙ୍କ ପ୍ରରୋଚନାରେ ଚପାଇ ଦିଆଯାଉଛି । ଏକ ତଥ୍ୟ ଅନୁସାରେ ଜଣାପଡ଼ିଛି ଯେ ୨୦୧୮ ମସିହାରେ ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ରେ ୧୭.୯ ପ୍ରତିଶତ ବୃଦ୍ଧି ପାଇ ୨୯୫୦ରେ ପହଞ୍ôଚଥିଲା । ସେହିପରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ୨୨.୨ ପ୍ରତିଶତ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି । ୨୦୧୮ ମସିହାରେ ୧୨୨ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୯ରେ ୧୪୯କୁ ବୃଦ୍ଧି ପାଇଥିଲା । ତେବେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ ମସିହାରେ ମୟୁରଭଞ୍ଜରେ ୨୦୩ଟି ରୁଜୁ ହୋଇଥିବା ବେଳେ ଯାଜପୁରରେ ୧୬୬ଟି ଓ ଗଞ୍ଜାମରେ ୧୨୮ଟି ମାମଲା ରୁଜୁ ହୋଇଥିଲା । ପ୍ରଶାସନର କଟକଣା ସତ୍ତ୍ୱେ ଦୁଷ୍କର୍ମ ଓ ହତ୍ୟା ଘଟଣା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ତେବେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରମୁଖ କାରଣ ଗୁଡ଼ିକ ହେଲା ପ୍ରଥମେ ପିତାମାତାଙ୍କର ସଚେତନତାର ଅଭାବ । ଜଣେ ଝିଅ ଯେତେବେଳେ ଘରୁ କୌଣସି କାମରେ ବାହାରକୁ ଯାଉଛି, ସେତେବେଳେ ଝିଅଟିର ପିତାମାତା ତାର ପୋଷାକ ପିନ୍ଧିବା ଉପରେ ଗୁରତ୍ୱ ଦେବା ନିହାତି ଜରୁରୀ । କାରଣ ଆଜିକାଲି ଯେଉଁଭଳି ଭାବରେ ହାତକଟା, ଛାତି ଚିରା ଭଳି ଅଶ୍ଲିଳ ପୋଷାକ ବଜାରେ ବିକ୍ରି ହେଉଛି, ପିତାମାତା ସେ ପୋଷାକ କିଣିବା ପୂର୍ବରୁ ସମାଜରେ କି ପ୍ରକାର ପ୍ରଭାବ ପକାଇବ, ସେଇଟା ଚିନ୍ତା କରିବା ଦରକାର । କାହିଁକି ନା ଆଜିକାଲି ଝିଅମାନେ ଅଶ୍ଲିଳ ଓ ସ୍ୱଳ୍ପପୋଷାକ ପିନ୍ଧି ରାସ୍ତାରେ ଯିବା ଆସିବା କରୁଛନ୍ତି ତାହା ଶରୀରର ଅର୍ଦ୍ଧାଧିକ ଅଙ୍ଗ ବାହାରକୁ ଦିଶିବା ଫଳରେ ତାହାର କୁପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଥାଏ । ଫଳରେ ସଭ୍ୟ ସମାଜ, ଜ୍ଞାନୀ, ଗୁଣି ତଥା ଶିକ୍ଷିତ ଯୁବକମାନେ ସମାଜରେ ନିନ୍ଦିତ ହେବା ଭୟ ତଥା ଆଇନ୍ କାନୁନ୍ ବିଷୟରେ ଜ୍ଞାନ ଥିବାରୁ ସେମାନେ ନିଜକୁ ନିୟନ୍ତ୍ରଣ କରିନିଅନ୍ତି । କିନ୍ତୁ ଯେଉଁମାନେ ଅଶିକ୍ଷିତ, ସମାଜରେ ମର୍ଯ୍ୟାଦାର ସହିତ ବଞ୍ôଚବାର ମାନେ କଣ ଜାଣିନାହାନ୍ତି ଓ ଆଇନ୍କାନୁନ୍ ବିୟଷୟରେ ଜ୍ଞାନ ନାହିଁ, ସେହିମାନେ ହିଁ ନିଜକୁ ନିୟନ୍ତ୍ରଣ ହରାଇ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇଥାନ୍ତି । ଅଧିକାଂଶ କ୍ଷେତ୍ରରେ ଦେଖାଯାଇଛି ଯେ, ଅଶିକ୍ଷିତ, ନିଶାସକ୍ତ, ଡ଼୍ରାଇଭର, ହେଲ୍ପର, କଣ୍ଡକ୍ଟର, ରିକ୍ସାଚାଳକମାନେ ହିଁ ଏହି ଦୁଷ୍କର୍ମ ଘଟଣା ଘଟାଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଧରାପଡ଼ିବା ଭୟରେ ଦୁଷ୍କର୍ମ ପୀଡ଼ିତାକୁ ହତ୍ୟା କରିଥାନ୍ତି । ସେମାନଙ୍କର ଧାରଣା ଯେ, ଦୁଷ୍କର୍ମକାରୀକୁ ମାରିଦେଲା ପରେ ସବୁ ପ୍ରମାଣ ନଷ୍ଟ ଏବଂ ସେମାନେ ନିର୍ଦ୍ଦୋଷ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ତାହା ଏମାନଙ୍କର ଧାରଣା ନଥାଏ । ସେହିପରି ବିବାହିତା ମହିଳାମାନଙ୍କୁ ଲକ୍ଷ୍ମୀ ରୂପେ ବିବେଚନା କରାଯାଇଥାଏ କାରଣ ଝିଅଟିଏ ବିବାହ କରି ଶାଢୀ, ଚୁଡ଼ି ପିନ୍ଧି ଯେତେବେଳେ ଶାଶୁଘରକୁ ଆସେ, ସେତେବେଳେ ଲୋକମାନେ କୁହନ୍ତି, ଘରକୁ ଲକ୍ଷ୍ମୀ ଆସିଗଲେ । କିନ୍ତୁ ବର୍ତ୍ତମାନ ସମୟରେ ବିବାହିତା ମହିଳାମାନେ ଶାଢୀ ଚୁଡ଼ି ବଦଳରେ ଯେଉଁଭଳି ଭାବରେ ସ୍ୱଳ୍ପ ପୋଷାକ ପରିଧାନ କରି ଯାତାୟତ କରୁଛନ୍ତି, ତାହା ମଧ୍ୟ ଅନ୍ୟତମ କାରଣ । ଦ୍ୱିତୀୟରେ ସୋସିଆଲ ଗଣମାଧ୍ୟମର ବହୁଳ ପ୍ରଚାର ଓ ପ୍ରସାର ଫଳରେ ଅଭିଯୁକ୍ତମାନେ ମୋବାଇଲରେ ବିଭିନ୍ନ ଅପରାଧିକ ଧାରାବାହିକ ଓ ଅଶ୍ଲିଳ ଚଳଚ୍ଚିତ୍ର ଦେଖିବା ଫଳରେ ଏଥିରେ ପ୍ରଭାବିତ ହୋଇ ବିଭିନ୍ନ ପ୍ରକାର ଅପରାଧ ଘଟାଇଥାନ୍ତି । ସେହିପରି ବାହାରୁ ଆସି ବିଭିନ୍ନ ସହରରେ ହଷ୍ଟେଲରେ ରହି ପାଠ ପଢୁଥିବା ଯୁବତୀମାନେ ଏକାଧିକ ଯୁବକମାନଙ୍କୁ ପ୍ରେମ ଜାଲରେ ଫଶାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିବା ସହିତ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି । ଏହି ଯୁବକମାନେ ପ୍ରେମରେ ଅନ୍ଧ ହୋଇ ବ୍ରାଉନ ସୁଗାର ବେପାର ଠାରୁ ଆରମ୍ଭ କରି ବିଭିନ୍ନ ମାମଲାରେ ଜଡ଼ିତ ରହି ଯୁବତୀମାନଙ୍କ ପଛରେ ଅଜସ୍ର ଟଙ୍କା ଖର୍ଚ୍ଚ କରିଥାନ୍ତି ଏବଂ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଲେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମର ଆଖ୍ୟା ଦେଇଥାନ୍ତି । ଏବେ ବି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପାର୍କ, ହୋଟେଲ, ସପିଂ ମଲରେ ମାଳ ମାଳ ପ୍ରେମୀ ଯୁଗଳ ଘୂରି ବୁଲୁଛନ୍ତି ଓ ନିଚ୍ଛାଟିଆ ତଥା ଅନ୍ଧାରୁଆ ସ୍ଥାନମାନଙ୍କରେ ଅସଂଯତ ଅବସ୍ଥରେ ବସି ରହୁଛନ୍ତି ଯାହାକୁ ସାଧାରଣ ଯୁବକମାନେ ଏହାକୁ ଦେଖିବା ଫଳରେ ସେମାନଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ତୃତୀୟରେ ଆମ୍ଭ ସମ୍ବିଧାନର ଆଇନ୍ରେ ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ ରହିଥିଲେ ମଧ୍ୟ ଏହା ସଠିକ୍ ସମୟରେ କାର୍ଯ୍ୟକାରୀ ହୋଇନଥାଏ । ଅଭିଯୁକ୍ତମାନଙ୍କୁ ଅତି ବେଶିରେ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍କୁ ପଠାଇ ଦିଆଯାଉଛି ଓ ପରବର୍ତ୍ତୀ ସମୟରେ ସେମାନେ ବେଲ୍ରେ ଆସୁଛନ୍ତି । ବହୁ ଦୁଷ୍କର୍ମକାରୀ ଖୁଲାମଖୁଲା ବୁଲୁଥିଲେ ମଧ୍ୟ ପ୍ରଭାବଶାଳୀ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରରୋଚନାରେ ସେମାନଙ୍କୁ ଗିରଫ କରାଯାଉ ନାହିଁ କି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଗୋଟିଏ ଗୋଟିଏ ଦୁଷ୍କର୍ମ ଘଟଣାର ଶୁଣାଣୀ ବର୍ଷ ବର୍ଷ ଧରି ଗଡ଼ି ଚାଲିଥିଲେ ମଧ୍ୟ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରୁ ନାହିଁ କି ଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ହେଲା ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ଘଟଣା । ନିର୍ଭୟା ଦୁଷ୍କର୍ମ ଘଟଣା ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏପର୍ଯ୍ୟନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯଦିଓ ଅଭିଯୁକ୍ତମାନଙ୍କୁ ଫାଶି ଦଣ୍ଡାଦେଶ ଘୋଷଣା କରିଥିଲେ ମଧ୍ୟ ସେମାନଙ୍କୁ ଫାଶି ଦେବା ବଦଳରେ ତାରିଖ ପରେ ତାରିଖ ଗଡ଼ି ଚାଲିଛି ଓ ପୀଡ଼ିତାର ପରିବାରଙ୍କୁ ନ୍ୟାୟ ମିଳିପାରୁ ନାହିଁ । ଫଳରେ ଏହି କୋହଳ ଦଣ୍ଡାଦେଶ ଯୋଗୁଁ ଅଭିଯୁକ୍ତମାନେ ପୁନର୍ବାର ଏଭଳି ଘଟଣା ଘଟାଇବାକୁ ସାହସ କରୁଛନ୍ତି । ସେହିପରି ଅପରିଚିତ ଲୋକମାନଙ୍କ ସହିତ ସହଜରେ ମିଶିଯବା, ନିଛାଟିଆ ତଥା ବିଳମ୍ବିତ ରାତ୍ରିରେ ଯାତାୟାତ କରିବା, ଅପରିିଚିତ ଲୋକମାନଙ୍କ ସହିତ ଲିଫ୍ଟ ମାଗି ଗାଡ଼ିରେ ଯିବା ଏବଂ ଅଜଣା ରାସ୍ତାରେ ଯିବା ଆସିବା କରିବା ମଧ୍ୟ ଅନ୍ୟତମ କାରଣ । କାରଣ ହାଇଦ୍ରାବାଦ ଘଟଣାରେ ସେଦିନ ଡ଼ାକ୍ତରାଣୀ ପ୍ରିୟଙ୍କା ରେଡି ଯଦି ଅପରିଚିତ ଯୁବକମାନଙ୍କ ସହିତ ଗାଡ଼ିରେ ନିଜ ଘରକୁ ଯାଇନଥାନ୍ତେ ତେବେ ହୁଏତ ସେ ଦୁଷ୍କର୍ମ ଘଟଣାରୁ ବର୍ତ୍ତି ପାରିଥାନ୍ତେ । ତେଣୁ ବର୍ତ୍ତମାନ ଯେଉଁଭଳି ଭାବରେ ଦୁଷ୍କର୍ମ ଘଟଣା ମହାମାରୀ ରୂପେ ନେଇଛି ସେଥି ପାଇଁ ପ୍ରତ୍ୟେକ ପିତାମାତାମାନେ ସେମାନଙ୍କ ପିଲାମାନଙ୍କର ପୋଷାକ ପରିଧାନ ଉପରେ ଦୃଷ୍ଟି ଦେବା ସହିତ ତାର ଚାଲିଚଳନ, କଥାବାର୍ତ୍ତା ଧ୍ୟାନ ଦେବା ସହିତ ଝିଅ ଠିକ୍ ସମୟରେ ସ୍କୁଲ୍ / କଲେଜ ଯାଉଛି କି ନାହିଁ ଠିକ୍ ସମୟରେ କ୍ଲାସ କରୁଛି କି ନାହିଁ ତାହା ନିୟମିତ ଭାବରେ ସ୍କୁଲ୍ / କଲେଜର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ଦରକାର । ସେହିପରି ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ତତ୍କାଳ ଆସାମୀ ମାନଙ୍କୁ କଠୋରରୁ କଠୋର ଦେବା ଦେବା ସହିତ ଦୁଷ୍କର୍ମକାରୀଙ୍କ କ୍ଷେତ୍ରରେ ଏପରି ଏକ ନୂତନ ଆଇନ୍ ଲାଗୁ ହେବା ଦରକାର ଯେ, ଏହି ଆଇନ୍ କାର୍ଯ୍ୟକାରୀ ହେଲେ ଆଉ କୌଣସି ଅଭିଯୁକ୍ତ ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ । ଯେପରି ଏଇ ନିକଟରେ ହାଇଦ୍ରାବାଦର ଡ଼ାକ୍ତରାଣୀ ପ୍ରୟଙ୍କା ରେଡିଙ୍କ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଖୁବ୍ କମ ସମୟ ମଧ୍ୟରେ ଏନ୍କାଉଣ୍ଟରରେ ଗୁଳି କରି ହତ୍ୟା କରାଯିବା ପରେ ପୋଲିସ୍ର ଏଭଳି ପଦକ୍ଷପକୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟିଥିଲା ଓ ଲୋକମାନେ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିଥିଲେ । ତେବେ ଯାଇ ଆମ ଦେଶ ତଥା ରାଜ୍ୟରୁ ଦୁଷ୍କର୍ମ ଭଳି ଘୃଣ୍ୟ ତଥା ନିନ୍ଦନୀୟ ଘଟଣା ବହୁ ପରିମାଣରେ କମିଯାଇ ପାରିବ ଓ ବହୁ ଯୁବତୀ ତଥା ମହିଳା ଦୁଷ୍କର୍ମକାରୀଙ୍କ କବଳରୁ ରକ୍ଷା ପାଇପାରିବେ ।
ମୋ : ୮୩୨୮୮୪୦୨୧୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର