ରାଜ୍ୟରେ ମୋଟ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର: ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆକ୍ରାନ୍ତ ଜଣକ କରୋନା ପ୍ରଭାବିତ ଦେଶ ଭ୍ରମଣରେ ଯାଇ ଓଡ଼ିଶା ଫେରିଥିବା ଜଣାପଡ଼ିଛି। ପୂର୍ବରୁ ଜଣେ ଇଟାଲି ଫେରନ୍ତା ଯୁବକ କରୋନାର ଶିକାର ହୋଇଥିବା ବେଳେ ଏବେ ପୁଣି ଜଣେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ଆକ୍ରାନ୍ତ ଥିବା ଅବସ୍ଥରେ ଚିହ୍ନଟ କରାଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାର ଠିକ ୪ ଦିନ ପରେ ଦ୍ବିତୀୟ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ତେବେ ଦ୍ବତୀୟ ଆକ୍ରାନ୍ତ ବିଦେଶରୁ ଫେରିବା ଓ ଏଠାରେ ଅବସ୍ଥାନ କରିବା ଭିତରେ କେଉଁ ସ୍ଥାନରେ କେତେଜଣଙ୍କ ସହ ସଂପର୍କରେ ଆସିଛନ୍ତି ତାହାର ଅନୁସନ୍ଧାନ ମଧ୍ୟ ଆରମ୍ଭ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି କି ଦ୍ବିତୀୟ ଆକ୍ରାନ୍ତଙ୍କ ‘କଣ୍ଟାକ୍ଟ ଟ୍ରେସିଂ’ ଚାଲୁ ରହିଛି।ସୂଚନା ଅନୁସାରେ ଭୁବନେଶ୍ୱରସ୍ଥିତ ଆରଏମ୍ଆରସିକୁ ଆଜି ପରୀକ୍ଷା ଲାଗି ୧୪ ଜଣଙ୍କ ସ୍ୱାବ୍ ନମୂନା ଆସିଥିଲା। ଏଥି ମଧ୍ୟରୁ ୧୩ଟି ନମୂନା ନେଗେଟିଭ୍ ରିପୋର୍ଟ ଆସିଥିବା ବେଳେ ଗୋଟିଏ ରିପୋର୍ଟ ପଜିଟିଭ୍ ମିଳିଛି।ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦିନ ଧରି ଚିକିତ୍ସିତ ହେଉଥିବା ଭୁବନେଶ୍ବର ସହରର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ଯୁବକ ଜଣକ ୯ ଦିନ ତଳେ ଇଟାଲିରୁ ଫେରିଥିଲେ ଏବଂ ଦିଲ୍ଲୀରେ କ୍ବାରେଣ୍ଟିନ୍ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ ବୋଲି ଜଣାପଡ଼ିଛି। ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତାଙ୍କ ରିପୋର୍ଟ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା।


