ରାଜ୍ୟର ଗରିବ ଲୋକଙ୍କୁ ଡରେଇ,ଧମକାଇ ମୁଖ୍ୟମନ୍ତ୍ରୀ ଭୋଟ ନେବା ଉଦ୍ୟମ କରୁଥିବା : କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ
ଭୁବନେଶ୍ୱର : ରାଜ୍ୟର ଗରିବ ଲୋକଙ୍କୁ ଡରେଇ, ଧମକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ନେବା ଉଦ୍ୟମ କରୁଥିବା ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିବା ସହ ରାଜ୍ୟରେ ବିଜେପି ସରକାର ଆସିଲେ ଖାଦ୍ୟ ସୁରକ୍ଷା ସହ ପୃଷ୍ଟି ନିରାପତା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ପର୍ଯ୍ୟନ୍ତ ଭାରତ ଓ ଓଡିଶାର ଗରିବ ଲୋକଙ୍କର କେହି ଅନିଷ୍ଠ କରିପାରିବେ ନାହିଁ । ୧୯ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟରେ ୨୫ଟି ଜିଲ୍ଲାରେ ଗରିବ ଘରର ଗର୍ଭବତୀ ମହିଳା ଓ ଶିଶୁମାନେ କୁପୋଷଣର ଶୀକାର ହୋଇଛନ୍ତି । ଜାତୀୟ ହାରରୁ ଏହା ତଳେ ଅଛି । ୨୦୩୬କୁ ଓଡିଶା ଭାଷା ଭିତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂର୍ତି ହେବାକୁ ଥିବା ବେଳେ ଆଜିର ଜନ୍ମ ନେଇଥିବା ଶିଶୁ ସେତେବେଳେ ଦୁର୍ବଳ ଯୁବକ ଯୁବତୀ ଅବସ୍ଥାରେ ଥିବ । ଏହାକୁ ଧ୍ୟାନରେ ରଖି ରାଜ୍ୟରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ । ଫଳରେ ଆଜିର ଜନ୍ମ ନେଇଥିବା ଶିଶୁ ସେତେବେଳେ ଦୁର୍ବଳ ଯୁବକ ଯୁବତୀ ହୋଇ ରହିବାକୁ ଦିଆଯିବ ନାହିଁ । ମୁଖ୍ୟମନ୍ତ୍ରୀ ମୋଦି ସରକାର ଓଡିଶାରେ ହେଲେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ଅପପ୍ରଚାର କରୁଛନ୍ତି । ମାତ୍ର ଟଙ୍କିକିଆ ଚାଉଳର ହିସାବ ପ୍ରଧାନମନ୍ତ୍ରୀ ଖୋଦ୍ ଓଡିଶାର ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ବଜାରରେ ଚାଉଳର ମୂଲ୍ୟରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଛନ୍ତି । ପରଘର ତିଅଣରେ ଅତିଥି ସକ୍ରାର କରିବାର ଚତୁରତା ମୁଖ୍ୟମନ୍ତ୍ରୀ ଦେଖାଉଛନ୍ତି । ପୁଅର ନାଁ ନ ନେଇ ପୋଷ୍ଟମ୍ୟାନର ନାଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାର, ମିଛ କଥାକୁ ଓଡିଆ ଲୋକମାନେ ବୁଝିଲେଣି । ଡବଲ ଇଞ୍ଜିନର ସରକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡର ମାଡିବା ଆରମ୍ଭ କରିଛି । ମୋଦି ଆସିଲେ କଲ୍ୟାଣମାନ ଯୋଜନା ବନ୍ଦ ହୋଇଯିବା ମୁଖ୍ୟମନ୍ତ୍ରୀ କହି ସାଧାରଣ ଲୋକକୁ ଡରେଇବା, ଧମକେଇବା, ଆତଙ୍କିତ କରି ଅପପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦି ଉପରେ ଅଧିକ ଇର୍ଷାନ୍ୱିତ ହୋଇ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରିନଥିବା ବେଳେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଚାଷୀଙ୍କ ତାଲିକା ଦଲେ ନାହିଁ, ମହିଳାଙ୍କ ପାଇଁ ଶୌଚାଳୟ ବନାଇବା କାର୍ଯ୍ୟକ୍ରମରେ ସହଯୋଗ କଲେ ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁଇ ଗୁଣ ମୋଦି ପଠାଇବା ପରେ ମଧ୍ୟ ପିସି କାରବାର, ଦୁର୍ନୀତି ବନ୍ଦ ହେଉନାହିଁ । ଓଡିଶାରେ ମନ୍ଦିର, ସମୁଦ୍ରକୂଳ, ଜଳ ସମ୍ପଦ, ନଦୀ, ପାହାଡ, ଜଙ୍ଗଲ ଓ ଅନ୍ୟାନ୍ୟ ନୈସର୍ଗିକ ସୌନ୍ଦର୍ଯ୍ୟ ଅଛି । ମୁଖ୍ୟମନ୍ତ୍ରୀ ଯଦି ଓଡିଶାର ଏହି ଗୋଟିଏ ପର୍ଯ୍ୟଟନକୁ କ୍ଷେତ୍ରକୁ ଯୋର ଦେଇଥାନ୍ତେ ତେବେ ଓଡିଶା ପୃଥିବୀର ଗୋଟେ ଆକର୍ଷଣୀୟ କେନ୍ଦ୍ର ହୋଇପାରିଥାନ୍ତା । ମୁଖ୍ୟମନ୍ତ୍ରୀ ନିଜ ଅପାରଗତାକୁ ଲୁଚାଇବା ପାଇଁ ଚାହୁଁଛନ୍ତି । ତେବେ ଓଡିଶାର ଏହି ଅପାର ସମ୍ଭାବନା ଉପଯୋଗ କରି ଓଡିଶାକୁ ପ୍ରଗତିର ରାସ୍ତାରେ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।