ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲରଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆକାଶରେ ଉଡ଼ି ଇତିହାସ ସୃଷ୍ଟି କରିଥିବା ରାଜ୍ୟର ପ୍ରଥମ ଶତପ୍ରତିଶତ ଦୃଷ୍ଟିବାଧିତ ବାପିନା ନାୟକଙ୍କୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀର ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଶାଖା ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ରାଜଯୋଗିନୀ ବ୍ରହ୍ମାକୁମାରୀ ଲିନା ଭଉଣୀ, ସାମାଜିକକର୍ମୀ ସନ୍ତୋଷୀ ଜୈନ, ଲୋକାୟୁକ୍ତ ଓଡ଼ିଶାର ସଭ୍ୟ ଡ. ଦେବବ୍ରତ ସ୍ୱାଇଁ, ଓଡ଼ିଶା ଲଳିତକଳା ଏକାଡ଼େମୀର ସଚିବ ପଞ୍ଚାନନ ସାମଲ, ବାଲୁକାଶିଳ୍ପୀ ସୁବଳ ମହାରଣା, ଓଡ଼ିଶା ଦୃଷ୍ଟିବାଧିତ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରା ପ୍ରମୁଖ ଯୋଗଦେଇ ବାପିନାଙ୍କ ଏହି ଦୁଃସାହସିକ କାର୍ଯ୍ୟକୁ ଉପସ୍ଥିତ ଅତିଥିମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ବାପିନା ନିଜ ଜୀବନ ସଂଘର୍ଷର ଘଟିଥିବା ଲୋମଟାଙ୍କୁରା ଘଟଣାମାନ ଉପସ୍ଥାପନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ବାପିନା କହିଥିଲେ ଆଗକୁ ଅନେକ ଚାଲେଞ୍ଜ ରହିଛି । ସୁଯୋଗ ଓ ସହଯୋଗ ମିଳିଲେ ନିଶ୍ଚିତ କୃତକାର୍ଯ୍ୟ ହେବି ବୋଲି ଆଶା ପ୍ରକଟ କରିଥିଲେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ବାପିନାଙ୍କୁ ଉତ୍ତରୀୟ, ଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ଈଶ୍ୱରଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥିଲେ ।