ରାଜ୍ୟର ବିକାଶ ପାଇଁ କଂଗ୍ରେସ ଏକମାତ୍ର ବିକଳ୍ପ: ପିସିସି ସଭାପତି

ବାଲେଶ୍ୱର, (ସରୋଜ ପଣ୍ଡା):ପିସିସି ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ବା ଓଡ଼ିଶା ପରିବର୍ତ୍ତନ ଯାତ୍ରା ବାଲେଶ୍ୱରରେ ପହଞ୍ଚିବା ପରେ କଂଗ୍ରେସ ପକ୍ଷରୁ ଗୁରୁବାର ବିଶ୍ରାମ ଦିବସ ଭାବେ ପାଳନ କରାଯାଇଛି ।ଏହି ଅବସରରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ସମେତ ଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣାର ପରିଣାମ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ସେ ଆରୋପ ଉଠାଇଛନ୍ତି । ସଦର ଉପ-ନିର୍ବାଚନ ବେଳେ ବାଲେଶ୍ୱର ବିକାଶର ଦାୟିତ୍ୱ ନେଇଥିବା ୨୩ ବର୍ଷର ମୁଖ୍ୟମନ୍ତ୍ରୀ ଶେଷରେ ଜିଲାବାସୀଙ୍କୁ ଠକିଛନ୍ତି । କଂଗ୍ରେସ ସରକାରଙ୍କ ଶାସନ କାଳରେ ଶିଳ୍ପାୟନର ଶୀର୍ଷରେ ପହଞ୍ଚିଥିବା ବାଲେଶ୍ୱର ଏବେ ଶିଳ୍ପ ବିହୀନ ଜିଲା ଭାବେ ପରିଗଣିତ ହେବାକୁ ଯାଉଛି । ଜିଲାର ବୃହତ ଶିଳ୍ପାନୁଷ୍ଠାନ ଗୁଡ଼ିକ ବନ୍ଦ ହୋଇଯାଇଥିବା ବେଳେ ଶହ ଶହ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଋଗଣ ଅବସ୍ଥାକୁ ଚାଲିଯାଇଛି । ଜିଲାର ବେକାର ସମସ୍ୟା ଉତ୍କଟ ହୋଇଥିବା ବେଳେ କୃଷକ, ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । କେନ୍ଦ୍ରରେ ୟୁପିଏ ସରକାର ସମୟରେ ଏଠାରେ ଏମ୍ସ, ସିପେଟ୍‌, ନୋସି, ତକ୍ଷମୁଳୀଆ, ଜଳେଶ୍ୱର ଓ ସୋରୋ ଠାରେ ଉଡନ୍ତା ପୋଲ ଇତ୍ୟାଦି ଅନେକ କଥା କରାଯାଇଛ । ମାତ୍ର ରାଜ୍ୟରେ ବିଜେଡି ଓ କେନ୍ଦ୍ରର ବିଜେପି ସରକାର ସମୟରେ କୌଣସି ଗୋଟିଏ ସେମିତି ଆଖିଦୃଶିଆ କାର୍ଯ୍ୟ ହୋଇଛି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ସୁବର୍ଣ୍ଣରେଖା ନଦୀର ବନ୍ୟା ଉତ୍ତର ଓଡ଼ିଶା ପାଇଁ ଦୁଃଖର କାରଣ ହୋଇ ଚାଲିଥିବା ବେଳେ ସରକାରଙ୍କ ସଂସ୍କାର ଯୋଜନା ଏବେ ଶୀତଳ ଭଣ୍ଡାରରେ ପଡ଼ିଛି । ସେହିଭଳି ଜିଲାର ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅମଲାତନ୍ତ୍ର ସର୍ବେସର୍ବା ହୋଇଛି । ଓଡ଼ିଶା ଆଜି ଏହି ବ୍ୟବସ୍ଥାର ପରିବର୍ତ୍ତନ ଅପେକ୍ଷାରେ ଥିବା ବେଳେ କଂଗ୍ରେସ ଏକମାତ୍ର ବିକଳ୍ପ ହୋଇଛି । ଭାରତ ଯୋଡ଼ ଯାତ୍ରାରେ ସାଧାରଣ ଲୋକଙ୍କ ସମର୍ଥନରୁ ଏହା ପରିଲକ୍ଷିତ ହୋଇଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାଲେଶ୍ୱରକୁ ପୁଣିଥରେ ଶିଳ୍ପ ସମୃଦ୍ଧ, ପର୍ଯ୍ୟଟନ ଶିଳ୍ପ ଓ କୃଷି ଶିଳ୍ପର ବିକାଶ, ବନ୍ଦ କଳକାରଖାନା ଗୁଡ଼ିକୁ ଖୋଲିବା, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ଆଣିବା ପାଇଁ କଂଗ୍ରେସ ସଂକଳ୍ପ କରିଛି ବୋଲି ସେ ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ, କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଜିଲ୍ଲା ସଭାପତି ସଂଜୀବ ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ବାଲେଶ୍ୱର ସହର ପରିକ୍ରମା କରି ସରିଲା ପରେ ଏହି ପରିବର୍ତନ ଯାତ୍ରା କଳମା ନିକଟରେ ମୟୂରଭଞ୍ଜ ଜିଲାକୁ ପ୍ରବେଶ କରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ