ରାଜ୍ୟସଭାର ୨୫୦ତମ ଅଧିବେଶନ
ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ସଂସଦର ଉଚ୍ଚ ସଦନରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିଛନ୍ତି । ଐତିହାସିକ ଅଧିବେଶନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଇତିହାସରେ ରାଜ୍ୟ ସଭା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ଏବଂ ଏହି ସଦନ ଇତିହାସ ନିର୍ମାଣର ସାକ୍ଷୀ ରହିଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏକ ଦ୍ୱିସଦନ ବିଶିଷ୍ଟ ବ୍ୟବସ୍ଥାପିକା ସୃଷ୍ଟି କରିବା ଲାଗି ଭାରତୀୟ ସମ୍ବିଧାନ ନିର୍ମାତାମାନଙ୍କ ଦୂରଦୃଷ୍ଟି ଆମର ଗଣତନ୍ତ୍ରକୁ ସମୃଦ୍ଧ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟସଭା ହେଉଛି ଭାରତୀୟ ବିବିଧତାର ପ୍ରତିନିଧି ଏବଂ ଆମ ସଂଘୀୟ ଢାଂଚାର ପ୍ରତିବିମ୍ବ । ସେ କହିଥିଲେ ଯେ ରାଜ୍ୟସଭା କେବେ ମୁଲତବୀ ହୋଇନଥାଏ ଏବଂ ଏହାର ନିରନ୍ତରତା ଏହି ସଦନକୁ ଶାଶ୍ୱତ କରିଛି । ନିର୍ବାଚନ ରାଜନୀତି ଠାରୁ ଦୂରରେ ରହୁଥିବା ଲୋକମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ଲାଗି ରାଜ୍ୟସଭା ସୁଯୋଗ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁରୂପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ସୁଦୃଢ଼ କରିବାରେ ରାଜ୍ୟସଭାର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ରାଷ୍ଟ୍ର ହିତ ପାଇଁ ରାଜ୍ୟ ସଭା ସବୁବେଳେ ଆଗେଇ ଆସିଛି ବୋଲି ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ ଯଥା ଜିଏସଟି, ତିନି ତଲାକ ଓ ଅନୁଚ୍ଛେଦ ୩୭୦ ଆଦି କ୍ଷେତ୍ରରେ ରାଜ୍ୟସଭାର ଭୂମିକା ବିଷୟରେ ସେ ଉଲ୍ଲେଖ କରିଥିଲେ । ରାଜ୍ୟସଭାର ଗୁରୁତ୍ୱ ଉପରେ ଅଟଳ ବିହାରୀ ବାଜପେୟୀଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶରେ ରାଜ୍ୟସଭାର ଅତି ସକ୍ରିୟ ଏବଂ ସହଯୋଗୀ ଭୂମିକା ଜରୁରି । ସଂସଦର ଉଚ୍ଚ ସଦନ ଜରିଆରେ ଜାତୀୟ ପ୍ରଗତି ଓ ବିକାଶରେ ଡ. ବାବାସାହେବ ଆମ୍ବେଦକରଙ୍କ ଭୂମିକାକୁ ମଧ୍ୟ ସେ ସ୍ମରଣ କରିଥିଲେ । ସଂସଦୀୟ ବିଧିବ୍ୟବସ୍ଥାକୁ ସମ୍ମାନ ଦେବା ସହ ସଦନର କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ପ୍ରଭାବୀ ଢଙ୍ଗରେ ନିଜ ମତ ଉପସ୍ଥାପନ କରିଥିବା କେତେକ ସାଂସଦଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେମାନଙ୍କ ଠାରୁ ଆମେ ଅନେକ କିଛି ଶିଖିପାରିବା ବୋଲି ସେ ଉଲ୍ଲେଖ କରିଥିଲେ । ଆମ ଗଣତନ୍ତ୍ରର ସଠିକ ପରିଚାଳନା କ୍ଷେତ୍ରରେ ରାଜ୍ୟସଭାର ଭୂମିକା ସମ୍ପର୍କରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚ ସଦନରୁ ମିଳୁଥିବା ନିୟନ୍ତ୍ରଣ ଓ ସନ୍ତୁଳନକୁ ବନ୍ଦ ଓ ଅବରୋଧ ପାଇଁ ଦୁରୂପଯୋଗ କରାଯିବା ଉଚିତ ନୁହେଁ ।