ରାଜ୍ୟସଭା ଭୋଟ ଲାଗି ବିଗୁଲ ବାଜି ସାରିଛି
ଏଥର ଓଡ଼ିଶାରୁ ୪ଟି ଆସନ ଖାଲି ହେଉଥିବାରୁ କିଏ ରାଜ୍ୟସଭା ଯିବ, ତାହାକୁ ନେଇ ପାୱାର କରିଡର ଠାରୁ ଆରମ୍ଭ କରି ରାଜନୈତିକ କର୍ମୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ୩ଟି ଆସନରେ ବିଜେଡି ପ୍ରାର୍ଥୀ ଜିତିବା ସ୍ପଷ୍ଟ ଥିବା ବେଳେ ୪ର୍ଥ ଆସନ ଲାଗି କସରତର ଆରମ୍ଭ ହୋଇଛି । ୪ର୍ଥ ଆସନ ଲାଗି ବିଜେଡି ଓ ବିଜେପିକୁ ୭ଖଣ୍ଡ ଭୋଟ ଆବଶ୍ୟକ ପଡୁଥିବାରୁ କାହାକୁ ପ୍ରାର୍ଥୀ କରି କିଏ କାହା ମନ ଜିଣି ଭୋଟ ହାତେଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ୪ର୍ଥ ଆସନ ଲାଗି ଦୁଇବନ୍ଧୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦୁଇଦଳର ମୋହରା ସାଜିବା ଚର୍ଚ୍ଚା ହେଉଛି ।ରାଜ୍ୟସଭା ସାଂସଦ ସରସ୍ୱତୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ, ରଞ୍ଜିବ ବିଶ୍ୱାଳ ଓ ଲୋକସଭାକୁ ଯିବା ପରେ ଅନୁଭବଙ୍କ ଆସନ ଖାଲିପଡିଛି । ଏହି ୪ ଆସନ ମଧ୍ୟରୁ ବିଜେଡିର ୩ ଓ କଂଗ୍ରେସର ଗୋଟିଏ ଆସନ ଫାଙ୍କା ହେଉଛି । ଗୋଟିଏ ଆସନ ପାଇଁ ସର୍ବନିମ୍ନ ୩୦ ଖଣ୍ଡ ଭୋଟ ଆବଶ୍ୟକ ଥିବାରୁ କଂଗ୍ରେସର ମାତ୍ର ୯ଣ ବିଧାୟକ ଅଛନ୍ତି । ତେଣୁ କଂଗ୍ରେସ ପ୍ରାର୍ଥୀ ଜିତିବା ଅସମ୍ଭବ ମନେ ହେଉଛି । ସେହିପରି ବିଜେଡିର ୧୧୩ ବିଧାୟକ ଥିବା ବେଳେ ସେ ୩ଟି ଆସନ ଜିତିବା ପରେ ୪ର୍ଥ ଆସନ ଲାଗି ଆଉ ୭ଖଣ୍ଡ ଭୋଟର ଆବଶ୍ୟକ ପଡିବ । ସେପଟେ ବିଜେପିର ୨୩ ଜଣ ବିଧାୟକ ରହିଛନ୍ତି । ୪ର୍ଥ ପ୍ରାର୍ଥୀକୁ ଜିତାଇବାକୁ ବିଜେପିକୁ ମଧ୍ୟ ୭ଖଣ୍ଡ ଭୋଟ ଦରକାର । ତେବେ ଏହି ୭ଖଣ୍ଡ ଭୋଟ ଆସିବ କେଉଁଠୁ?୭ଖଣ୍ଡ ଭୋଟ ପାଇଁ ଦୁଇ ପୁରୁଣାବନ୍ଧୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ମୋହରା କରାଯାଇପାରେ । ଦିଲ୍ଲୀପ ରାୟ ଚଳିତ ନିର୍ବାଚନ ଲଢି ନଥିବା ବେଳେ ବିଜେଡି ସହ ସମ୍ପର୍କରେ ଅଛନ୍ତି । ସାଧାରଣ ନିର୍ବାଚନ ସମୟରେ ଡାକରା ପାଇ ସେ ନବୀନ ନିବାସକୁ ଯାଇଥିଲେ । ତାଙ୍କୁ କେନ୍ଦ୍ରାପଡାରୁ ଲୋକସଭା ଲଢିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ସେ ବନ୍ଧୁ ବିଜୟଙ୍କ ପାଇଁ ସେଥିରେ ରାଜି ହୋଇନଥିବା ଚର୍ଚ୍ଚା ହେଉଥିଲା । ଏଥିସହିତ ତାଙ୍କର ବିଜେପି ସହ ମଧ୍ୟ ସମ୍ପର୍କ ଖରାପ ହୋଇନାହିଁ । ତେଣୁ ବିଜେଡି ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି ଆବଶ୍ୟକ ୭ଖଣ୍ଡ ଭୋଟ ବିଜେପି ଠାରୁ ଆଣିବାକୁ ଲକ୍ଷ୍ୟ ରଖିଛି ।ସେହିପରି ବିଜୟ ମହାପାତ୍ର ଏବେ ବିଜେପିରେ ଅଛନ୍ତି । ସେ ପାଟକୁରା ବିଧାନସଭା ଆସନରୁ ଲଢି ପରାଜିତ ହୋଇଛନ୍ତି । ବିଜୟ ଜଣେ ପୁରୁଖା ନେତା ହୋଇଥିବାରୁ ବିଜେପି ତାଙ୍କୁ ରାଜ୍ୟସଭା ପଠାଇବାକୁ ଚିନ୍ତା କରୁଛି । ବିଜୟଙ୍କୁ ମନେଇବା ପାଇଁ ମଧ୍ୟ ବିଜେଡି ଭିତିରି ଯୋଗସୁତ୍ର ରଖିଛି । ବିଜୟଙ୍କ ବାକ୍ୟବାଣରୁ ରକ୍ଷା ପାଇବା ପାଇଁ ବିଜେଡି ବିଜୟଙ୍କ ମନ ତୋସିବାରେ ସଫଳ ମଧ୍ୟ ହୋଇଛି । କାରଣ ବିଗତଦିନରେ ସରକାରଙ୍କ ବିଫଳତା ସମ୍ପର୍କରେ ବିଜୟ ମୁହଁ ନଖୋଲିବା, ଏହାର ଉଦାହରଣ । ତେଣୁ ବିଜେପି ବିଜୟଙ୍କୁ ପ୍ରାର୍ଥୀ କରି ଆବଶ୍ୟକ ପଡୁଥିବା ୭ଖଣ୍ଡ ଭୋଟ ବିଜେଡିରୁ ଆଣିବାକୁ ଲକ୍ଷ୍ୟ ରଖିଛି ।ଅପରପକ୍ଷରେ କଂଗ୍ରେସ ହାତରେ ଥିବା ୯ଖଣ୍ଡ ଭୋଟ ମଧ୍ୟ ୪ର୍ଥ ପ୍ରାର୍ଥୀର ଭାଗ୍ୟ ନିର୍ଦ୍ଧାରଣ କରିବା ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଯଦି କଂଗ୍ରେସ ପ୍ରାର୍ଥୀ ନଦିଏ, ତେବେ ୯ଖଣ୍ଡ ଭୋଟ ୪ର୍ଥ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣୟାକ ହେବ । ଦିଲ୍ଲୀପ ଓ ବିଜୟ ଉଭୟଙ୍କର ଲୋକପ୍ରିୟତା ଥିବାରୁ କଂଗ୍ରେସ ଭୋଟ ମଧ୍ୟ ସେମାନଙ୍କ ସପକ୍ଷରେ ଯାଇପାରେ । ତେଣୁ ଦୁଇଦଳ ନିଜରସ୍ଥିତି ଜାହିର କରିବା ଲାଗି ଦୁଇପୁରୁଣା ବନ୍ଧୁଙ୍କୁ ୭ଖଣ୍ଡ ଭୋଟ ପାଇଁ ମୋହରା ସଜେଇବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।