ରାଜ୍ୟସ୍ତରୀୟ ଏସ୍.ଡି.ସି. କପ୍ ଫୁଟବଲ ପ୍ରତିଯୋଗିତା ପାଇଁ ଗଜପତି ଦଳର ପ୍ରସ୍ତୁତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲାପାଳଙ୍କ ସମ୍ମିଳନୀ ଗୃହଠାରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉନ୍ନୟ ପରିଷଦ ଫୁଟବଲ ପ୍ରତିଯୋଗିତା ପାଇଁ ଗଜପତି ଦଳ କିପରି ପ୍ରସ୍ତୁତ କରାଯିବ ତାକୁ ନେଇ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଛି । ସ୍ୱତନ୍ତ୍ର ଉନ୍ନୟ ପରିଷଦ ଦ୍ୱାରା ଅନୁଷ୍ଠିତ ହେବାକୁଥିବା ଏହି ଫୁଟବଲ ପ୍ରତିଯୋଗିତା କେବଳ ଜନଜାତି ବର୍ଗର ଖେଳାଳୀଙ୍କ ପାଇଁ ଉଦ୍ଧିଷ୍ଟ ଅଟେ । ଏଥିପାଇଁ ଗଜପତି ଜିଲାର ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ୧୪ ଫେବୃୟାରୀରୁ ୨୦ ଫେବୃୟାରୀ ପର୍ଯ୍ୟନ୍ତ ପୁରଷ ମାନଙ୍କ ପାଇଁ ଏକ ଚୟନ ଶିବିର ଅନୁଷ୍ଠିତ ହୋଇ ସେଥିରୁ ଏକ ୨୦ଜଣିଆ ଟିମ୍ ଚୟନ କରାଯିବ । ସେହିପରି ଭାବେ ୧୬ଫେବୃୟାରୀରୁ ୨୦ ଫେବୃୟାରୀ ପର୍ଯ୍ୟନ୍ତ ମହିଳା ମାନଙ୍କ ପାଇଁ ଏକ ଚୟନ ଶିବିର ଅନୁଷ୍ଠିତ ହୋଇ ସେଥିରୁ ଏକ ୨୦ଜଣିଆ ଟିମ୍ ଚୟନ କରାଯିବ । ଏହି ଖେଳାଳୀମାନଙ୍କ ପାଇଁ ସର୍ବ ନିମ୍ନ ୧୭ରୁ ସର୍ବଧିକ ୩୫ବର୍ଷ ବୟସ ସୀମା ରଖାଯାଇଥିବା ଜଣାପଡିଛି । ଚୟନ ହୋଇଥିବା ଟିମ୍ ପଡୋଶୀ ଫୁଲବାଣୀ ଜିଲାକୁ ଲିଗ୍ ମ୍ୟାଚ ଖେଳିବାପାଇଁ ପଠାଯିବ ବୋଲି ଏହି ଖବରଦାତା ସମ୍ମିଳନୀରେ କୁହାଯାଇଛି । ଜିଲାର ବିଭିନ୍ନ ବ୍ଲକରୁ ଫୁଟବଲ ପ୍ରତିଭାମାନେ ଏହି ପକ୍ରିୟାରେ ଅଂଶ ଗ୍ରହଣ କରିବାପାଇଁ ଜିଲା କ୍ରୀଡା ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବରଦାତା ସମ୍ମିଳନୀରେ ଜିଲାପାଳ ଅନୁପମ ସାହା, ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଜିଲା କ୍ରୀଡାଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତଥିଲେ ।


