ରାଜ୍ୟସ୍ତରୀୟ ବଲ-ବ୍ୟାଡ଼ମଣ୍ଟନ ଟୁର୍ଣ୍ଣାମେଣ୍ଟ ୧୮ରୁ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବଲ ବ୍ୟାଡ଼ମଣ୍ଟନ ଆସୋସିଏସନ ଆନୁକୂଲରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ୩୦ତମ ରାଜ୍ୟସ୍ତରୀୟ ସିନିଅର ବର୍ଗର୍ ବଲ ବ୍ୟାଡ଼ମଣ୍ଟନ ଚମ୍ପିଆନ୍‌ସିପ୍ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚଛି । ସହର ଉପକଣ୍ଠ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂ ପରିସରରେ ହେବାକୁ ଥିବା ଏହି ଚମ୍ପିୟନସିପର ରୂପରେଖ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂର ଅଧ୍ୟକ୍ଷ ଡକ୍ଟର ଯଶୋବନ୍ତ କୁମାର ମହାନ୍ତି, ବାଲେଶ୍ୱର ଜିଲ୍ଲା ବଲ ବ୍ୟାଡ଼ମଣ୍ଟନ ଆସୋସିଏସନର ସମ୍ପାଦକ ସତ୍ୟନାରାୟଣ ଦାସ, ସହ-ସମ୍ପାଦକ ପ୍ରକାଶ ମହାନ୍ତି ଓ ଚନ୍ଦନ କୁମାର ଦାସ, କାର୍ଯ୍ୟକାରିଣୀ ସଦସ୍ୟ ତଥା ଜାତୀୟସ୍ତରୀୟ ରେଫେରୀ ବିଶ୍ୱଜିତ ପଣ୍ଡା ଏବଂ କୋଷାଧ୍ୟକ୍ଷ ତଥା ଜାତୀୟସ୍ତରୀୟ ରେଫେରୀ ଫାଗୁରାମ ମାରାଣ୍ଡି ପ୍ରମୁଖ ଏଥିରେ ଯୋଗଦେଇ ୧୮ ତାରିଖରୁ ଆରମ୍ଭ ହେଉଥିବା ବ୍ୟାଡ଼ମଣ୍ଟନ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ସୂଚିତ କରିଥିଲେ । ଏଥିରେ ୨୫ଟି ଜିଲ୍ଲାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ୪୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ୧୭ ତାରିଖରେ ପଞ୍ଜୀକରଣ କରିବେ । ସମସ୍ତ ଖେଳାଳିଙ୍କ ପାଇଁ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂରେ ସେମାନଙ୍କ ରହଣି ବ୍ୟବସ୍ଥା ହୋଇଛି । ୧୮ ତାରିଖ ସକାଳେ ଏହି ଚମ୍ପିଆନ୍‌ସିପ୍ ଉଦଘାଟନ ହେବ । ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗେମ ସହ ୨୦ ତାରିଖରେ ଉଭୟ ପୁରୁଷ ଓ ମହିଳା ବର୍ଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତାମିଲନାଡୁର ତାଞ୍ଜାଭୁର ଠାରେ ୧୮୫୭ ମସିହାରେ ଆରମ୍ଭ ହୋଇଥିବା ବଲ ବ୍ୟାଡ଼ମଣ୍ଟନ ଭାରତର ଗୋଟିଏ ପୁରାତନ ଖେଳ ହୋଇଥିବା ବେଳେ ୧୯୬୦ ମସିହା ଠାରୁ ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱୀକୃତି ଲାଭ କରିଛ ବୋଲି କର୍ମକର୍ତାମାନେ ସୂଚନା ଦେଇଛନ୍ତି । ଏହି ଚମ୍ପିଆନ୍‌ସିପ୍‌ରୁ ମନୋନୀତ ଶ୍ରେଷ୍ଠ ଖେଳାଳିମାନେ ଆସନ୍ତା ଡିସେମ୍ବର ୨୫ରୁ କେରଳର କୋଲାମ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଜାତୀୟ ଚମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବେ ବୋଲି ବାଲେଶ୍ୱର ଜିଲ୍ଲା ବଲ ବ୍ୟାଡମିଂଟନ ଆସୋସିଏସନ ପକ୍ଷରୁ କୁହାଯାଇଛ ।ଏଥି ସହିତ ଏହି ଚମ୍ପିଆନ୍‌ସିପ୍‌ରେ ରାଜ୍ୟସ୍ତରୀୟ ରେଫେରୀ ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କର୍ମକର୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ