ରାଜ୍ୟସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ “ପ୍ରତିକ୍ଷା”କାର୍ଯ୍ୟକ୍ରମରେ : ଗଜପତିର ସଫଳତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ରାଜ୍ୟସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ ଦ୍ୱାରା ଭୁବନେଶ୍ୱରର ୟୁନିଟ-୩ ଠାରେ ଥିବା ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା “ପ୍ରତିକ୍ଷା” କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସ୍କାଉଟ ଓ ଗାଇଡର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଥିବାର ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରୋଦଶ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ଗୋଷାଣୀ, କାଶୀନଗର ଓ ଆର୍.ଉଦୟଗିରି ବ୍ଲକର ମୋଟ ୨୭ଜଣ ସ୍କାଉଟ ଓ ଗାଇଡର ଛାତ୍ରଛାତ୍ରୀମାନେ ୫ଦିନିଆ ରାଜ୍ୟସ୍ତରୀୟ “ପ୍ରତିକ୍ଷା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୧ରୁ ଆରମ୍ଭ ହୋଇ ୨୫ତାରିଖ ତଥା ଶୁକ୍ରବାର ଦିନ ସମାପନ ହୋଇଥିଲା । ଏହି ୫ଦିନିଆ କାର୍ଯ୍ୟକ୍ରମରେ ଉଲ୍ଲେଖିତ ଛାତ୍ରଛାତ୍ରୀମାନେ ଭାଗ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାଂସ୍କୃତିକ ଓ ପାରମ୍ପାରିକ ଆଦି କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବାର ଜଣାପଡିଛି । ପେପର କଟିଂରେ ଗଜପତିକୁ ୨ଗୋଟି ଗୋଲ୍ଡ ମେଡାଲ ମିଳିଥିବା ବେଳେ ଫେଶନ ଶୋରେ ୫ଟି ଗୋଲ୍ଡ ମେଡାଲ ଏବଂ କ୍ୟାମ୍ପ ଫାଏରରେ ପ୍ରଥମ ସ୍ଥାନ ହାସଲ କରିଥିବାର ଜଣାପଡିଛି । ଏହି ସବୁ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ତଥା ଆକର୍ଷଣୀୟ ବେଶବୁଶା, ନାଚଗୀତରେ ଭାଗନେଇ ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ଏହି ୨୭ଜଣିଆ ଦଳ ଗଜପତିରେ ପହଞ୍ଚିବା ପରେ କହିଛନ୍ତି ଯେ, ଉଲ୍ଲେଖିତ କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଖୁସି ଅନୁଭବ କରିବା ସହ ଜିଲ୍ଲାପାଇଁ ବିଭିନ୍ନ ବିଭାଗରେ ମେଡାଲ, ପ୍ରମାଣ ପତ୍ର ଆଦି ଆଣିପାରିଥିବାରୁ ଗର୍ବ ଅନୁଭବ କରୁଛୁ । ଏହି ୨୭ଜଣିଆ ଦଳକୁ ୪ଜଣିଆ ଶିକ୍ଷକ ଦଳଙ୍କ ପ୍ରତେକ୍ଷ ତତ୍ୱାବଧାନ ତଥା ନେତୃତ୍ୱରେ ଯାଇଥିବାର ଜଣାପଡିଛି । ସେମାନେ ହେଲେ ଯଥା, ଜିଲ୍ଲା ଅର୍ଗନାଇଜର କମିଶନର ସଞ୍ଜୟ କୁମାର ପାତ୍ର, ସ୍କାଉଟ ମାଷ୍ଟର କିଶୋର ଚନ୍ଦ୍ର ଦାଶ, ପ୍ରହଲ୍ଲାଦ ସିଲା ଓ ଗାଇଡ ମାଷ୍ଟର ଶ୍ରୀମତୀ ରୁନା ରଇତ ।


