ରାଜ୍ୟସ୍ତରୀୟ ମତଦାନ ଅଧିକାର ସମ୍ପର୍କିତ ରଥ ଜିଲ୍ଲାରେ ଗଡିଲା
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ରାଜ୍ୟରେ ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ବାହାରିଥିବା ସଚେତନତା ରଥ ବାଲେଶ୍ୱରରେ ପହଞ୍ଚିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗତକାଲି ପୂର୍ବାହ୍ନ ୯ ଟାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ତିନି ଦିନ ଧରି ବାଲେଶ୍ୱର ଜିଲ୍ଲାର ପ୍ରତି ବ୍ଲକକୁ ଏହା ଗସ୍ତ କରି ଭୋଟରଙ୍କୁ ମତଦାନ ଅଧିକାର, ଇଭିଏମ୍ ଏବଂ ଭିଭିପାଟ୍ ମେସିନର ଉପଯୋଗିତା ସମ୍ପର୍କରେ ସଚେତନ କରାଇବ । ଏଥିରେ ଲାଗିଥିବା ଏଲଇଡି ସ୍କ୍ରିନ ମାଧ୍ୟମରେ ଭୋଟ ଗ୍ରହଣ କେନ୍ଦ୍ରରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନ୍ର କାର୍ଯ୍ୟକାରିତା ତଥା ସ୍ୱଚ୍ଛ ଏବଂ ବିଶ୍ୱସନୀୟ ନିର୍ବାଚନ ପ୍ରକ୍ରିୟାର ସମୃଦ୍ଧିକରଣ ସମ୍ପର୍କରେ ଭିଡିଓ ପ୍ରଦର୍ଶନ କରାଯିବ । ଏତଦ୍ବ୍ୟତୀତ ‘ମୋ ଭୋଟ୍ ମୋ ଅଧିକାର’ ଅଭିଯାନରେ ଭୋଟରଙ୍କୁ ନିଶ୍ଟିତ ଭାବେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବା ଲାଗି ପ୍ରୋତ୍ସାହିତ କରାଯିବ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ସହକାରୀ ଜିଲ୍ଲାପାଳ ମନୋଜ କୁମାର ସେନାପତି, ଏସଡିଆଇପିଆର ଓ ଦୀପକ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।


