ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁୃଜ୍) : ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ବାଲେଶ୍ୱର ଗସ୍ତରେ ଆସିବା ସହିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ଯୋଗ ଦେଇ ଉପସ୍ଥିତ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଏବଂ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକରେ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବୈଠକରେ ଅବକାରୀ ବିଭାଗ କମିଶନର ଶ୍ରୀ ଅଞ୍ଜନ କୁମାର ମାଣିକ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର କୁମାର, ଅର୍ଥ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଏନ.କେ.ରାଉତରାଏ, ଅବକାରୀ ବିଭାଗ ସହକାରୀ କମିଶନର ଶ୍ରୀ ରାମଚନ୍ଦ୍ର ପଳତା ପ୍ରମୁଖ ମଂଚାସୀନ ଥିବା ବେଳେ ଅବକାରୀ ବିଭାଗ ଅଧୀକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭତ୍ରା ଅବକାରୀ ଧରପଗଡ, ଜବତ ହୋଇଥିବା ସାମଗ୍ରୀ, ମଦ ଦୋକାନଗୁଡିକର ସ୍ଥିତି, ପଞ୍ଜୀକୃତ ମାମଲା ଇତ୍ୟାଦି ସଂପର୍କରେ ଗୃହରେ ତଥ୍ୟ ଉପସ୍ଥାପନ କରିଥିଲେ । ମଦମୃତ୍ୟୁକୁ ଏଡାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱରୋପ କରିବା ସହିତ ବିକଳ୍ପ ନିଶାଦ୍ରବ୍ୟ ଭାବରେ ସମ୍ପ୍ରତି ଯୁବ ସମାଜ ଦ୍ୱାରା କଫ ସିରପର ବହୁଳ ବ୍ୟବହାର ବଡ ବିପଦ ଭାବେ ଉଭା ହୋଇଛି ବୋଲି କହିଥିଲେ । ଏଣୁ କଫ ସିରପର ବିକ୍ରି ଉପରେ ନଜର ରଖିବାକୁ ସିଡିଏମଓ ଏବଂ ଡ୍ରଗ ଇନସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନକଲି ଓ ବିଷାକ୍ତ ମଦ ଯୋଗୁଁ ଯଦି କୌଣସି ଅଘଟଣ ଘଟେ ତେବେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଚେତାଇ ଦେଇଥିଲେ । ଅବକାରୀ ରାଜସ୍ୱ ଆଦାୟ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି କରୁଥିବା ଆନ୍ତଃ ଜିଲ୍ଲା ଓ ଆନ୍ତଃ ରାଜ୍ୟ ଚୋରା ମଦ ଚାଲାଣକୁ ରୋକିବା ଦିଗରେ ଜିଲ୍ଲା ଓ ରାଜ୍ୟ ସୀମାରେ ଅତର୍କିତ ଚଢାଉ କରିବା ଲାଗି ସେ ଅବକାରୀ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ଜିଏସଟି କର ଆଦାୟ, ରିଟର୍ଣ୍ଣ ଫାଇଲ, ରଦ୍ଦ ହୋଇଥିବା ଜିଏସଟି ଲାଇସେନ୍ସ ସଂଖ୍ୟା, ଜିଏସଟି ଡିଲର ଇତ୍ୟାଦି ସଂପର୍କରେ ବିଭାଗୀୟ ଯୁଗ୍ମ ସଚିବ ଗୃହକୁ ଅବଗତ କରାଇଥିଲେ । ଛୋଟ ବ୍ୟବସାୟୀମାନଙ୍କ ମନରେ ଜିଏସଟି ସଂପର୍କରେ ରହିଥିବା ଡର ଓ ଭ୍ରାନ୍ତ ଧାରଣାକୁ ଦୂର କରିବା ଲାଗି ଅଧିକାରୀମାନେ ପ୍ରୟାସ କରିବା ଆବଶ୍ୟକ । ଏଥି ସହିତ ଅଧିକରୁ ଅଧିକ ବ୍ୟବସାୟୀ ଯେଭଳି ସ୍ୱେଚ୍ଛାକୃତ ଭାବେ ଜିଏସଟି କରଦାତା ଭାବେ ପଞ୍ଜୀକୃତ ହେବା ପାଇଁ ଆଗଭର ହେବେ ସେ ଦିଗରେ ପଦକ୍ଷେପ ଗ୍ରହଣ ନିମନ୍ତେ ବୈଠକରେ ମତପ୍ରକାଶ ପାଇଥିଲା । ଜନସାଧାରଣ ଓ ବ୍ୟବସାୟୀଙ୍କ ସହ ସୁସଂପର୍କ ସ୍ଥାପନ ପୂର୍ବକ ସେମାନଙ୍କୁ ରିଟର୍ଣ୍ଣ ‘ାଇଲରେ ସହଯୋଗ ପ୍ରଦାନ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଅବକାରୀ ଓ ଅର୍ଥ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଅନ୍ତିମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ