ରାଜ୍ୟ ଉପ-ସଭାପତି ଦାୟୀତ୍ୱ ପରେ ଭୃଗୁ ବକ୍ସିପାତ୍ରଙ୍କ ଗଜପତିକୁ ପ୍ରଥମ ଗ୍ରସ୍ତ
ଭାରତ ସରକାରଙ୍କ ଆତ୍ମନିର୍ଭରଶୀଳ ଯୋଜନା ଉପରେ ଗୁରୁତ୍ୱ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଭାଜପା ରାଜ୍ୟ ଉପସଭାପତି ଭାବେ ଭୃଗୁ ବକ୍ସିପାତ୍ର ଦାୟୀତ୍ୱ ନେବା ପରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀକୁ ସେ ପ୍ରଥମ ଗ୍ରସ୍ତ କରିଛନ୍ତି । କରୋନା ସଙ୍କଟରେ ଲଗାତର ଭାବେ ଲକ୍ଡାଉନ୍ ଓ ସଟ୍ଡାଉନ୍ ହେବା ଦ୍ୱାରା ଦୀର୍ଘ ଦିନ ଧରି ଲୋକମାନେ କିଭଳି ସମସ୍ୟାରେ ଗତି କରୁଛନ୍ତି । ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକର ଯୋଜନାର ସଫଳ ରୁପାୟନ ଓ କେନ୍ଦ୍ର ଯୋଜନା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେ ମୋହନା ନିର୍ବାଚନ ମଣ୍ଡଳୀର ମେରାପଲ୍ଲୀ,ମାଣ୍ଡିମରା,ବିରିକୋଟ,ଝିଲିକି,ପାଣିଗଣ୍ଡା,ମୋହନା ଓ ଚନ୍ଦ୍ରଗିରି ଆଦି ଅଞ୍ଚଳର ବିଭିନ୍ନ ଗ୍ରାମକୁ ପାଦଚଲାରେ ଗ୍ରସ୍ତ କରି ଲୋକଙ୍କୁ ଭେଟିଥିଲେ । ଜନସାଧାରଣ କରୋନା ଦ୍ୱାରା କିଭଳି ପ୍ରଭାବିତ ହୋଇଛନ୍ତି ଏବଂ କେଉଁ ସବୁ ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି ସେ ବିଷୟରେ ଲୋକଙ୍କୁ ପଚାରି ବୁଝିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଲକ୍ଡାଉନ୍ ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯେଉଁ ବ୍ୟବସ୍ଥା ଗୁଡିକ କରାଯାଇଛି ତାହା କିପରି ତୃଣମୁଳ ସ୍ତରରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସେ ପଚାରି ବୁଝିଥିଲେ । ମହେନ୍ଦ୍ରଗଡ,ଛେଳିଗଡ ଓ ଜିରାଙ୍ଗ ଅଞ୍ଚଳରେ ଦୀର୍ଘ ଦିନ ଧରି ଜଳାଭାବ ସମସ୍ୟା ମଧ୍ୟ ସେ ବୁଝିଥିଲେ । ସେହିପରି ଏହି ସବୁ ଦୁର୍ଗମ ସ୍ଥାନରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ଲୋକେ ଜଣାଇଥିଲେ । ଜିରାଙ୍ଗ ଜୋନରେ କଲେଜ ନ ଥିବା ଯୋଗୁଁ ଛାତ୍ରଛାତ୍ରୀ କିପରି ସମସ୍ୟା ଭୋଗୁଛନ୍ତି ସେ ବିଷୟରେ ସେ ଆଲୋଚନା କରିଥିଲେ । ଗ୍ରସ୍ତ ସମୟରେ ଭାରତ ସରକାରଙ୍କ ବିଭିନ୍ନ ଆତ୍ମନିର୍ଭଶୀଳ ଯୋଜନା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଗ୍ରସ୍ତ ସମୟରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ସହ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା,ପ୍ରଶାନ୍ତ ମଲିକ,ଜିତେନ୍ଦ୍ର ବେହେରା,ନାନାଜି ରାଓ,ଶାନୁ ଶବର,ଜଗନ୍ନାଥ ଶବର ପ୍ରମୁଖ ଉପସ୍ଥିତ ଥିଲେ ।