ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ଆଲୋଚନା

ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୋଆ, ହରିୟାଣା ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିହାର, ଦିଲ୍ଲୀ, ତାମିଲନାଡ଼ୁ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ୧୭ଟି ରାଜ୍ୟର ଅର୍ଥମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ । ଏହାଛଡ଼ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ‘ସହଯୋଗୀ ସଂଘବାଦ’ ନୀତି ଏବଂ ଅର୍ଥବ୍ୟବସ୍ଥାର ସୁଧାର ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମତୀ ସୀତାରମଣ ଆଲୋକପାତ କରିଥିଲେ । ମତବ୍ୟକ୍ତ କରିବା ଲାଗି ମିଳିଥିବା ସୁଯୋଗକୁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ସ୍ୱାଗତ ଜଣାଇବା ସହିତ ଅଭିବୃଦ୍ଧି, ନିବେଶ, ସମ୍ବଳ ଆବଶ୍ୟକତା ଓ ଆର୍ଥିକ ନୀତି ସମ୍ପର୍କରେ ପରାମର୍ଶ ଦେଇଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଜରୁରି ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅର୍ଥମନ୍ତ୍ରୀ ସ୍ୱାଗତ କରିଥିଲେ । ଏଥିସହିତ ସେମାନେ ଦେଇଥିବା ପ୍ରସ୍ତାବକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ