ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷିଣ ପକ୍ଷରୁ ଗଜପତି ଜିଲ୍ଲାର ଦୁଇ ଜଣଙ୍କୁ ୨୦୨୪ ନବରତ୍ନ ସମ୍ମାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ସ୍କାର୍ଟ ଓଡ଼ିଶା) ଆନୁକୂଲ୍ୟରେ ପ୍ରତିଭା ପୂଜା, ସମ୍ବର୍ଦ୍ଧନା ଓ ପ୍ରତିଭା ପ୍ରୋତ୍ସାହନ କାର୍ଯ୍ୟକ୍ରମ ସଂସ୍କୃତିର ପ୍ରାଣକେନ୍ଦ୍ର ତଥା ସର୍ବ ପୂରାତନ ସହର କଟକ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ଗତ କାଲି ରବିବାର ସ୍କାର୍ଟ ନବରତ୍ନ ସମ୍ମାନ ୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ମାନ୍ୟବର ସାଂସଦ ଲୋକସଭା (କଟକ) ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ , ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଲୋକସଭା( ଯାଜପୁର ) ଶ୍ରୀଯୁକ୍ତ ରବି ନାରାୟଣ ବେହେରା , ମୁଖ୍ୟବକ୍ତା ମାନ୍ୟବର ବିଧାୟିକା ( ରଣପୁର ) ଶ୍ରୀମତୀ ସୁରମା ପାଢ଼ୀ , ସତନ୍ତ୍ର ଅତିଥି ଆଇ.ପି.ଏସ୍ ପ୍ରାକ୍ତନ ପୋଲିସ୍ ମହାନିର୍ଦେଶକ ( ଓଡ଼ିଶା ) ଡଃ ସତ୍ୟଜିତ୍ ମହାନ୍ତି , ସମ୍ମାନନୀୟ ଅତିଥି ପୂର୍ବତନ ବିଧାୟକ (ଚୌଦ୍ୱାର-କଟକ )ଶ୍ରୀଯୁକ୍ତ ପ୍ରଭାତ ରଂଜନ ବିଶ୍ବାଳ , ସୁନାମଧନ୍ୟ ଚଳଚ୍ଚିତ୍ର ଅଭିନେତା
ଶ୍ରୀଯୁକ୍ତ ଶ୍ରୀତମ ଦାସ , ମାନ୍ୟବର ବିଧାୟିକା ( ବାରବାଟୀ କଟକ ) ସୋଫିଆ ଫିଦୌସ, ମାବ୍ୟବର ବିଧାୟକ( ଚୌଦ୍ଵାର କଟକ ) ଶ୍ରୀଯୁକ୍ତ ସୌଭିକ୍ ବିଶ୍ବାଳ , ସ୍କାର୍ଟ-ନବରତ୍ନ କମିଟି ଅଧ୍ୟକ୍ଷା ଡ. ଚିଦାମ୍ବିକା ଖଟୁଆ , ସ୍କାର୍ଟ ଓଡିଶା ପ୍ରତିଷ୍ଠାତା ତଥା ସଭାପତି କଳାଭୂଷଣ ପ୍ରଶାନ୍ତ କୁମାର କର , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ lଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଳକ୍ ରାମଗିରି ଗ୍ରାମର ଦୀର୍ଘ ୪୦ ବର୍ଷ ଧରି ଦର୍ଜୀ କାମ ଛଡା ଅନ୍ୟ କିଛି ଜାଣି ନଥିବା ଜଣେ ନିଖୁଣ ପୋଷାକ କାରିଗର ଏ.ସଦାନନ୍ଦ ସ୍ୱାମୀ ଏବଂ ରା.ଉଦୟଗିରି ସାମ୍ବାଦିକ ସଂଘର ସଭାପତି ମମତାଜ୍ ମହମ୍ମଦ ସମ୍ମାନୀତ ହୋଇଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ମମତାଜ୍ ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କର ଏକନିଷ୍ଠ ସାଧନା, କର୍ତ୍ତବ୍ୟପରାୟଣତା,କର୍ମାଭିମୂଖି କାର୍ଯ୍ୟଶୈଳୀ ବାସ୍ତବରେ ପ୍ରଶଂସନୀୟ । ତେଣୁ ତାଙ୍କର ଏହି ପ୍ରତିଭାକୁ ସମ୍ମାନ ଜଣାଇ ସ୍କାର୍ଟ ଓଡ଼ିଶା ପକ୍ଷରୁ ସମ୍ମାନପତ୍ର,ପଦକ, ଶାଲ୍,ଟ୍ରଫି, ସମ୍ମାନ ଗାଉନ୍,ସମ୍ମାନ ମୁକୁଟ,ସମ୍ମାନ ପଟି, କ୍ୟାରି ବେଗ୍,ପରିଚୟପତ୍ର,ପ୍ରତିଭା ପରିଚୟ ପୁସ୍ତକ ଓ ଏକ ଲକ୍ଷ ଟଙ୍କାର ନାଗରିକ ସୁରକ୍ଷା ପଲିସି ଇତ୍ୟାଦି ପ୍ରଦାନ କରାଯାଇଛି । ସେପଟେ, ନବରତ୍ନ ସମ୍ମାନରେ ସମ୍ମାନୀତ ହେବା ପରେ, ଉଭୟ ମମତାଜ୍ ଓ ସଦାନନ୍ଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ଗଜପତି ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଯୋଗୁଁ ଆଜି ସେମାନେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ତେଣୁ, ଏହା ତାଙ୍କପାଇଁ ପୁରସ୍କାର ନୂହେଁ ବରଂ ଆହୁରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛି । ତେଣୁ ତାର ସମସ୍ତ ଶ୍ରେୟ ସେମାନେ ରାଜ୍ୟବାସୀ ବିଶେଷ କରି ଗଜପତି ଜିଲ୍ଲା ବାସୀଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଥିବା କହିଛନ୍ତି । ଏଥିସହ, କଳାର ବିକାଶ ଏବଂ ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିବା ତଥା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଅନ୍ୱେଷଣ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଯେଉଁ ଉଦ୍ୟମ କରାଯାଉଛି, ସେଥିପାଇଁ ସ୍କାର୍ଟ ଓଡ଼ିଶା ପରିବାରର ସମସ୍ତ ସଦଶ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।