ରାଜ୍ୟ କିଷାନ କଂଗ୍ରେସ ଆହ୍ୱାନରେ ବାଲେଶ୍ୱର ଜିଲ୍ଲାରୁ କୃଷି ଓ କୃଷକର ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତବର୍ଷ ବିଳମ୍ବିତ ଓ ଅନିୟମିତ ମୌସୁମୀ ଆସିବା ଫଳରେ ଖରିଫ ଧାନ ଫସଲ ଚାଷକାର୍ଯ୍ୟ ଧିମେଇ ଯାଇଛି । ସ୍ୱଳ୍ପବୃଷ୍ଟିପାତ ଯୋଗୁଁ ତଳି ମରିଯିବା ପୁଣି ବହୁକଷ୍ଟରେ ଚାଷୀ ବଞ୍ଚାଇଥିôବା ତଳି ପୁଣି ଲଗାଣ ବର୍ଷା ଓ ବନ୍ୟା ଫଳରେ ପଚି ନଷ୍ଟ ହୋଇଯାଇଛି । ଅପରପକ୍ଷରେ ବର୍ତ୍ତମାନର କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କୁ ଅଣଦେଖା କରିବା ଯୋଗୁଁ ଚାଷକାର୍ଯ୍ୟରେ ଘୋର ବାଧା ଉପୁଜିଛି । ସୁତରାଂ ଧାନତଳି ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କୁ କ୍ଷତିପୂରଣ ଦେବା, ଇନ୍ପୁଟ୍ ସବ୍ସିଡ଼ି ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲବୀମା ଅବଧି ଅଗଷ୍ଟ ୫ ପରିବର୍ତ୍ତେ ଅଗଷ୍ଟ ୧୫କୁ ବୃଦ୍ଧି କରିବା, ଖରିବ ଧାନଫସଲ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ତାରିଖ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୩୧କୁ ବୃଦ୍ଧି କରିବା, ପ୍ରତି ଗ୍ରାମପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ୱ ଗ୍ରାମକୁ ଫସଲ ବୀମା ୟୁନିଟ୍ ଭାବେ ଗ୍ରହଣ କରିବା, ପ୍ରଚଳିତ ରିଲିଫ୍ କୋଡ଼୍ର ସଂଶୋଧନ, ଅକାମୀ ହୋଇ ପଡ଼ିଥିବା ଉଠାଜଳସେଚନ ପଏଣ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଚାଷୀଙ୍କୁ ମାଗଣା ବିଜୁଳି ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା, ପ୍ରତି ବ୍ଲକ୍ରେ ଅତିକମ୍ରେ ଗୋଟାଏ ଶୀତଳ ଭଣ୍ଡାର ନିର୍ମାଣ, ଜିଲ୍ଲାର ସମସ୍ତ ଚାଷୀଙ୍କୁ କାଳିଆ ଓ ପିଏମ୍ କିଷାନ ନିଧି ସମ୍ମାନ ଯୋଜନାରେ ସାମିଲ କରିବା, ଧାନ, ପାନ, ମୀନ, କାଜୁ, ଗୁଆ, ଚିନା, ନଡ଼ିଆ ଆଦି ପ୍ରାଚୁର୍ଯ୍ୟଭରା ବାଲେଶ୍ୱର ଜିଲ୍ଲାରେ କୃଷିଜାତ କଞ୍ଚାମାଲକୁ ନେଇ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ଉର୍ବର ବହୁଫସଲି ଚାଷଜମିକୁ ଅଣକୃଷି କ୍ଷେତ୍ରକୁ ପ୍ରଦାନ ନକରିବା, ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ, ସୋଣ, ଗଙ୍ଗାହାର, ଜଳକା, କାଂଶବାଂଶ, ପିତାକାଳିଆ ଓ ସୁବର୍ଣ୍ଣରେଖା ନଦୀବକ୍ଷରେ ଛୋଟବଡ଼ ବ୍ୟାରେଜ୍ମାନ ନିର୍ମାଣ କରି ଜିଲ୍ଲାର ବ୍ୟାପକ ଚାଷଜମିକୁ କେନାଲ୍ ଦ୍ୱାରା ଜଳସେଚନର ସୁବ୍ୟବସ୍ଥା କରିବା ଆଦି ୧୬ ଦଫା ଦାବି ନେଇ ଆଜି ପୂର୍ବାହ୍ନରେ ସ୍ଥାନୀୟ ଫକୀର ମୋହନ ଗୋଲେଇଠାରୁ ଜିଲ୍ଲା କିଷାନ୍ କଂଗ୍ରେସ୍ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି କଚେରୀ ଦେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ôଚଥିଲା ।ସେଠାରେ ପ୍ରଦେଶ କିଷାନ କଂଗ୍ରେସ୍ ରାଜ୍ୟ ସାଧାରଣ ସଂପାଦକ ଅରୁଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କିଷାନ କଂଗ୍ରେସ ସେଲ୍ ରାଜ୍ୟ ଉପସଭାପତି ଯଶୋଦା ନନ୍ଦନ ସିଂ, ସେଲ୍ର ଜିଲ୍ଲା ସଭାପତି ଜୟନ୍ତ ମହାପାତ୍ର, କିଷାନ କଂଗ୍ରେସ୍ ବସ୍ତା ବ୍ଲକ୍ ସଭାପତି ପ୍ରଭାସ ମଣ୍ଡଳ, ସେଲ୍ର ନୀଳଗିରି ବ୍ଲକ୍ ସଭାପତି ଉପେନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ମନୋରଞ୍ଜନ ପଣ୍ଡା, କମଳାକାନ୍ତ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ଜିଲ୍ଲା ମହିଳା କଂଗ୍ରେସ୍ ସଭାପତି ପ୍ରଜ୍ଞାପରମିତା ମହାନ୍ତି, ଡିସିସି ସାଧାରଣ ସଂପାଦକ ସୁଧାଂଶୁ ଶେଖର ଜେନା, ବର୍ଷୀୟାନ୍ କଂଗ୍ରେସ୍ ନେତା ତଥା ଉତ୍କଳ ସର୍ବୋଦୟ ମଣ୍ଡଳ ଜିଲ୍ଲା ସଭାପତି ବିଧାନ ଚନ୍ଦ୍ର ରାୟ, ପ୍ରାକ୍ତନ ସରପଞ୍ଚ ବିଶିଷ୍ଟ ଚାଷୀନେତା କହ୍ନେଇ ଚରଣ ପ୍ରଧାନ, ନାରାୟଣ ଚନ୍ଦ୍ର ପଣ୍ଡା, ନରହରି ଘଡ଼ାଇ, ହେମନ୍ତ ନାୟକ, ଶ୍ରୀଧର ବେହେରା, ଚନ୍ଦନ ନାୟକ, ମଦନମୋହନ ଭକ୍ତା ପ୍ରମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣନୀତିର ତୀବ୍ର ସମାଲୋଚନା କରିବା ସହ ଜିଲ୍ଲାର କୃଷି ଓ କୃଷକର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ପରିଶେଷରେ ସୁରଜିତ୍ ପୋଥାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।