ରାଜ୍ୟ ପାଇଁ ଆଣିଲେ ଗୌରବ ଗଞ୍ଜାମର ସୁଶ୍ରୀତା ପାତ୍ର
ଗଞ୍ଜାମ, (ବିନୋଦ ପଲାଇ):ଗୁଜୁରାଟର ଅହମ୍ମଦାବାଦ ଠାରେ ଜତୀୟ ସ୍ତରର ଟାଏକୋଣ୍ଡା ପ୍ରତିଯୋଗିତାରେ ଗଞ୍ଜାମ ସହରର ସୁଶ୍ରୀତା ପାତ୍ର ବ୍ରୋଞ୍ଚ ପଦକ ଜିତିଛନ୍ତି। ବିଶିଷ୍ଟ କୋଚ ପ୍ରସାଦ ନାୟକଙ୍କ ଠାରୁ ପ୍ରଶିକ୍ଷଣ କରିଥିବା ସୁଶ୍ରୀତା ଚମତ୍କାର ପ୍ରଦର୍ଶନ କରି ରାଜ୍ୟ , ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଟାଏକୋଣ୍ଡାରେ ପ୍ରସିଦ୍ଧ ହାସଲ କରିଥିବା ସୁଶ୍ରୀତା ଗଞ୍ଜାମ ସହରର ପଣ୍ଡାସାହି ବାସିନ୍ଦା ତଥା ବିଶିଷ୍ଟ କାଜୁ ବ୍ୟବସାୟୀ ଅଜିତ କୁମାର ପାତ୍ର ଓ ସଂଘମିତ୍ରାଙ୍କ ଝିଅ। ଅହମ୍ମଦା ବାଦର ଏସଡିଏ -ହେଚଆର -ସେକେଣ୍ଡରି ସ୍କୁଲରେ ସିଆଇଏସସିଇ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର ଏହି ପ୍ରତିଯୋଗିତାରେ ଭାଗନେଇ ବ୍ରୋଞ୍ଚ ପଦକ ଜିତିଛନ୍ତି। ପୂର୍ବରୁ ଜିଲ୍ଲା, ରାଜ୍ୟ ସ୍ତରରେ ସ୍ଵର୍ଣ ଓ ବ୍ରୋଞ୍ଚ ପଦକ ଜିତି କ୍ରୀଡା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପିଲାଟି ଦିନୁ କିଛି କରିଦେଖାଇବାର ଇଚ୍ଛା ଥିବା ବେଳେ କ୍ରୀଡା କ୍ଷେତ୍ରରେ ଏହି ଭଳି ଦୁଃସାହସିକ କ୍ରୀଡାକୁ ବାଛିନେଇ ପଛକୁ କେବେ ଫେରିନାହାନ୍ତି। କାରମେଲ ସ୍କୁଲରେ ନବମ ଶ୍ରେଣୀ ଛାତ୍ରୀଥିବା ସୁଶ୍ରୀତା ଏହି ସଫଳତା ପାଇଁ ଭଗବାନଙ୍କ ବ୍ୟତିତ ପରିବାର, ଗୁରୁ , ଓ ଶୁଭେଚ୍ଛୁଙ୍କ ପାଇଁ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି। ଭବିଷ୍ୟତରେ ପାଠପଢ଼ାସହ ଏହି କ୍ଷେତ୍ରରେ ଆହୁରି ନାଁ କରିବାର ଅଛି ବୋଲି କହିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଚୁଟୁଛି।


