ରାଜ୍ୟ ବଜେଟ ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର- ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ କହିଛନ୍ତି ଯେ, ବଜେଟ ଅର୍ଥ ଯୋଗାଡ଼ କରିବା ପାଇଁ ସରକାର ବେଆଇନ ଖଣି ଲିଜ୍ଧାରୀଙ୍କଠାରୁ ଜରିମାନା ଅର୍ଥ ଆଦାୟକୁ କଡ଼ାକଡ଼ି କରିବା ଦରକାର। ୬୮ ହଜାର କୋଟି ଜରିମାନା ରାଶିରୁ ମାତ୍ର ୧୭ ହଜାର କୋଟି ଟଙ୍କା ଆଦାୟ କରାଯାଇଛି ।ଏ ଦିଗରେ ସରକାର ଅଧିକ କ୍ରିୟାଶୀଳ ହେବା ଜରୁରୀ। ଏଥିସହିତ ନିଲାମ ଅପେକ୍ଷାରେ ଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦରକାର। ଦୀର୍ଘଦିନ ଧରି ବାକି ରହିଥିବା ଜଳକର, ବିଦ୍ୟୁତ୍ ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ ଆଦାୟ ଉପରେ ସରକାର ଗୁରୁତ୍ୱ ଦେବାକୁ ଘଡ଼େଇ ପରାମର୍ଶ ଦେଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ପ୍ରସ୍ତୁତି ବୈଠକରେ ଯୋଗଦେଇ ବଜେଟ ପରିଚାଳନା ଏବଂ ଆର୍ଥିକ ଶୃଙ୍ଖଳା ସହ ଟିକସ ଆଦାୟକୁ ତ୍ୱରାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ଚଳିତ ବର୍ଷ ଏହା ଦେଢ଼ଲକ୍ଷ କୋଟିକୁ ଟପିଯିବା ନେଇ ଆକଳନ କରାଯାଉଛି। ଆନ୍ତର୍ଜାତିକସ୍ତରରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ବଜେଟ ଉପରେ ପଡ଼ିବା ସମ୍ଭାବନା ରହିଛି ।


