ରାଜ୍ୟ ବାସୀଙ୍କ ମଙ୍ଗଳ ନିମନ୍ତେ ମୁଖ୍ୟମନ୍ତ୍ରୀ ମା’ଙ୍କ ଆଶୀର୍ବାଦ କାମନା କଲେ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲା ଗସ୍ତ କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ମା’ଙ୍କର ଆଶୀର୍ବାଦ ଲାଭ କରିଛନ୍ତି । ଏଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦାନ କରି ଋଷିକୂଲ୍ୟା ନଦୀ ପାର୍ଶ୍ବର ଉନ୍ନତି କରଣ ନିମନ୍ତେ ୨୮ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଉଦ୍ୟାନ ଏବଂ ସୌନ୍ଦର୍ଯ୍ୟିକରଣ ଏବଂ ମନ୍ଦିର ଚତୁଃପାର୍ଶ୍ବରେ ୧୫ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ରାସ୍ତାର ଉନ୍ନତି କରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇ ଥିଲେ ଯେ, ମା’ଙ୍କର ଅପାର କରୁଣା ଏବଂ ଆଶିର୍ବାଦ ଯୋଗୁଁ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ମନ୍ଦିରର ଉନ୍ନତିକରଣ ହୋଇ ଏକ ନୂଆ ରୂପ ପାଇଛି । ଏହା ଦ୍ବାରା ପର୍ଯ୍ୟଟନ ସ୍ଥଳୀର ବିକାଶ ସହିତ ମା’ଙ୍କ ନିକଟକୁ ଆସୁଥିବା ଭକ୍ତ ମାନଙ୍କର ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତ ମାନଙ୍କର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଆଜି ମା’ଙ୍କ ନିକଟକୁ ଆସି ସେ ବହୁତ ଖୁସି ଅନୁଭବ କରୁଥିବା ଦର୍ଶାଇ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ଓଡିଶାର ସମସ୍ତ ଜନ ସାଧାରଣଙ୍କର ଉନ୍ନତି ନିମନ୍ତେ ମା ଙ୍କ ନିକଟରେ ଆଶୀର୍ବାଦ କାମନା କରିଥିଲେ । ଏହି ଅବସରରେ ରାଜ୍ୟ ଜଙ୍ଗଲ, ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ବକ୍ତବ୍ୟରେ ଓଡିଶାର ବିକାଶ ଦିଗରେ ରୂପାନ୍ତରୀକରଣ କାର୍ଯ୍ୟ ଦ୍ଵାରା ଅନେକ କିଛି ପରିବର୍ତ୍ତନ ହୋଇପାରୁଛି ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକ ଇଚ୍ଛା ଦ୍ଵାରା ସଫଳ ହୋଇପାରିଛି । ଶହଶହ ବର୍ଷ ଧରି ଓଡିଶାରେ ରହିଥିବା ଧର୍ମପୀଠ ମାନଙ୍କର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇ ଉନ୍ନତିକରଣ କରାଯିବା ନିମନ୍ତେ ଲକ୍ଷ୍ୟ ରଖା ଯାଇଛି । ବିଧାନ ସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ମନ୍ଦିରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଗୁଡିଏ ଉନ୍ନତି କରାଯାଇଛି । ଜଗନ୍ନାଥ ମନ୍ଦିରର ଉନ୍ନତି ଦିଗରେ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ଠିକ୍ ସେହିଭଳି ମା ତାରାତାରିଣୀଙ୍କ ପୀଠର ସୁରକ୍ଷା ଓ ମନ୍ଦିରର ଆବଶ୍ୟକତାକୁ ଲକ୍ଷ୍ୟ ରଖି ପୂରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ମନ୍ଦିର ପରିଦର୍ଶନ କରି ମା ଙ୍କର ଆଶୀର୍ବାଦ ଗ୍ରହଣକରିଥିଲେ । ଏହି ସଭାକାର୍ଯ୍ୟ ସ୍ଥଳରେ ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ରଜନୀ ମହାପାତ୍ର, ମନ୍ଦିର ଆର୍କିଟେକ୍ ନାରାୟଣ ତ୍ରିପାଠୀ, ବିନା ପାରିଶ୍ରମିକରେ ମନ୍ଦିର କାର୍ଯ୍ୟରେ ଶ୍ରମଦାନ କରିଥିବା ଶ୍ରୀମତୀ କୁମାରୀ ଦାଶ, ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମନ୍ଦିରର ଉନ୍ନତି ନିମନ୍ତେ ସେମାନଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରି ସମ୍ମାନୀତ କରିଥିଲେ । ଏଠାରେ ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ୧୦୫.୫କୋଟି ଟଙ୍କା ବିନିମୟରେ ମନ୍ଦିରର ଚତୁଃପାର୍ଶ୍ବ ବିକାଶ, ସୌନ୍ଦର୍ଯ୍ୟିକରଣ, ଗର୍ଭ ଗୃହ ନିର୍ମାଣ, ପାର୍ଶ୍ବ ଦେବତା ମନ୍ଦିର ନିର୍ମାଣ, ପ୍ରସାଦ ଗୃହ, ମୁଣ୍ଡନ ଗୃହ ଇତ୍ୟାଦିର ବିକାଶ କରାଯାଇଛି । ୨୦୨୦ ମସିହାରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ୫-ଟି ଅନ୍ତର୍ଗତ ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପନ ହୋଇଛି ଏବଂ ଆଗାମୀ ଦିନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବା ଯୋଜନା ରହିଛି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଜ୍ୟର ମନ୍ତ୍ରୀ, ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ସମସ୍ତ ଗ୍ରାମ ପଞ୍ଚାୟତର ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳୀରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତିଓ୍ବାସନ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


