ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ, ପରିସରରେ ଆଜି 17 ବର୍ଷରୁ କମ ଉଭୟ ବାଳକ ବାଳିକା ବର୍ଗର ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି. ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୂବେନେଶ୍ୱରର ସହ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତିପ୍ରସାଦ ପରିଡାଙ୍କ ମାର୍ଗଦର୍ଶନରେ ଓ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସାଙ୍ଗଠନିକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ବିଭୁତିଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା, ସ୍ୱତନ୍ତ୍ର ଅତିଥିରୂପେ ବାରିପଦା ପୌରପାଳିକା ର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୁଖ୍ୟବକ୍ତା ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳସଚିବ ସହଦେବ ସମାଧିଆ, ସମ୍ମାନିତ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ କ୍ରୀଡ଼ାବିତ ମାନଙ୍କର ଖେଳୁଆଡ଼ ମନୋଭାବ ଓ ଚିନ୍ତାଧାରା ବିକାଶ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ. ପ୍ରତିଯୋଗିତାରେ ରାଜ୍ୟର 30 ଟି ଜିଲ୍ଲା ଓ ଭୂବନେଶ୍ୱର ରୁ 489 ଜଣ ବାଳକ ଓ 153 ବାଳିକା ଏବଂ 73 ଜଣ ଟିମ ମ୍ୟାନେଜର ଯୋଗ ଦେଇ ଥିବା ବେଳେ ରାଜ୍ୟ ଅଫିସିୟାଲ 85, ଜିଲ୍ଲା ଅଫିସିୟାଲ 98 ଜଣ ଯୋଗ ଦେଇଛନ୍ତି. ଅତିଥି ପରିଚୟ ଓ ମଞ୍ଚପରିଚାଳନା ଶିକ୍ଷକ ରଞ୍ଜନ କୁମାର ନନ୍ଦ କରିଥିବାବେଳେ ଶିକ୍ଷକ ନିରଞ୍ଜନ ଶତପଥି ସହଯୋଗ କରିଥିଲେ. ଶେଷରେ ମୟୂରଭଞ୍ଜ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ.