ରାଜ୍ୟ ରାଜପଥର ସଂପ୍ରସାରଣ ପାଇଁ ଜବରଦଖଲ ଜମି ଉଛେଦ

ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) :  କେନ୍ଦୁଝର ଜିଲା ବାମେବାରୀ-ଯୋଡା ରାଜ୍ୟରାଜପଥ ନଂ ୨ ର ସଂପ୍ରସାରଣ ପାଇଁ ଜବର ଦଖଲ ହୋଇଥିବା ଜମି ଗୁଡିକୁ  ପ୍ରଶାସନ ପକ୍ଷରୁ  ମଙ୍ଗଳବାର ଉଛେଦ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ମ୍ୟାଜିଷ୍ଟେଟ୍ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା , ଯୋଡା ପୋଲିସ , ପିଡବ୍ଲୁଡିର ନିର୍ବାହୀ ଯନ୍ତ୍ରୀ ନଗେଶ ମହାନ୍ତ, ଏସଡିଓ ଏସ.କେ. ନାୟକ , କନିଷ୍ଠ ଯନ୍ତ୍ରୀ ରାଜୁ କାଗ୍ ଓ ଯୋଡା ରାଜସ୍ୱ ନିରୀକ୍ଷକ ଜୟନ୍ତ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ବାଂଶପାଣି ଓ  ବାଂଶପାଣି ଅଟାଚକି ଠାରେ ଜବର ଦଖଲ କରି ନିର୍ମାଣ କରାଯାଇଥିବା ଘର, ଦୋକାନ ଘର ଓ କେବିନ୍ ଗୁଡିକୁ ମେସିନ୍ ସାହାର୍ଯ୍ୟରେ ଭଙ୍ଗା ଯାଇଥିଲା । ଡିଏମଏଫ ପାଣ୍ଠି ବ୍ୟୟରେ ଉକ୍ତ ରାସ୍ତାର ନିର୍ମାଣ ଓ ସଂପ୍ରସାରଣ ପାଇଁ  ଟେଣ୍ଡର ଜରିଆରେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି । ଉକ୍ତ ଠିକାସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଅନେକ ସ୍ଥାନରେ ଜବରଦଖଲ ଜମି ଉଛେଦ କରାଯାଉନଥିବାରୁ  ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିଲା । ଜବରଦଖଲ ଜମିକୁ ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ଗତ ଜୁଲାଇ ମାସରେ ଜବରଦଖଲକାରୀ ମାନଙ୍କୁ ନୋଟିସ କରାଯାଇଥିଲା । ନୋଟିସ ପାଇବାର ୩୦ ଦିନ ମଧ୍ୟରେ ଉକ୍ତ ଜବରଦଖଲ ଜମିରୁ ଅପସରି ଯିବା ପାଇଁ  ନୋଟିସରେ ଉଲ୍ଲେଖ କରାଯାଇଥିଲା । ଅନ୍ୟଥା ଉକ୍ତ ଜମିକୁ  ଖାଲି ନକଲେ ଆଇନ୍ ଅନୁଯାୟୀ ଉଛେଦ କରାଯିବା ସହିତ ସେଠାରେ ରହିଥିବା ଜିନିଷପତ୍ରକୁ ବ୍ୟାଜାପ୍ତି କରାଯିବାର ନୋଟିସ ଜାରି କରାଯାଇଥିଲା । ମାତ୍ର ଜବରଦଖଲକାରୀମାନେ ଜବରଦଖଲ ଜମିକୁ ଖାଲି କରିନଥିବାରୁ  ଏହି ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବଡବିଲ୍ ତହସିଲ୍‌ଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ଉଚିତ ସମୟ ସମୟସୀମା ନଦେଇ ତରବରିଆ ଭାବେ ଭାଙ୍ଗି ଦିଆଯାଇଥିବା  ଅଭିଯୋଗ କରି ଜବରଦଖଲକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ